ଓଡ଼ିଶାର ଦାଦନ ଅଭିଶାପ

ଏକ ଛୋଟ ରେଳଷ୍ଟେସନ ଦି କଡ଼ରେ ପଲିଥିନ ଆଉ କଞ୍ଚାଇଟାର ଝୁଗି ବସ୍ତି l ସହରର ଏମୁଣ୍ଡରୁ ସେମୁଣ୍ଡକୁ ଯୋଡୁଥିବା ରାସ୍ତାକଡ଼ରେ କିରାନା ଷ୍ଟୋରଠୁଁ ନେଇ ଘରତିଆରି ଜିନିଷର ଦୋକାନ l ଏକ ଅଧାଗଢା ମନ୍ଦିର I କେଇଟା ଲଜ ଆଉ ଠିପିଖୋଲା ମଦ ଦୋକାନ I ଆଉ ସହର ଉପକଣ୍ଠରେ ଟ୍ରକ୍ ମରାମତି ଗ୍ୟାରେଜଟିଏ I ଗ୍ରୀଷ୍ମର ମୁଣ୍ଡଫଟା ଖରାରେ ଧୁସର, ଖାଁ ଖାଁ ଆଉ ବିବଶ ଦିଶେ ପଶ୍ଚିମ ଓଡ଼ିଶା ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ସହର – ଠିକ୍ ଶାପଗ୍ରସ୍ତ ବାଞ୍ଝଝିଏଟେ ପରି I

ଅଥଚ ନଭେମ୍ବର ମାସ ଆସୁ ଆସୁ ସେ ନିଷ୍ପ୍ରାଣ ସହରର ଚହଳ ପହଳ ବଢିଯାଏ I ଖରିଫ ଫସଲ ଅମଳ ନ ସରୁଣୁ ପାଖ ଦୂର ଗାଆଁ ଗହଳିର ଜୀଅନ୍ତା, ଅଧମରା ଭାଗଚାଷୀ, କ୍ଷେତ ମଜୁରିଆ ପେଡ଼ି ପୁଟିଳି ବାନ୍ଧି ଧାଆନ୍ତି କଣ୍ଟାବାଞ୍ଜି ସହରକୁ ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ ଅଭିମୁଖୀ ଟ୍ରେନ୍ ଧରିବାପାଇଁ I ସେଠିକା ଇଟାଭାଟି ଗୁଡ଼ିକରେ ଦାଦନ ଖଟିବା ପାଇଁ I କାରଣ ପୁଣି ଆସନ୍ତା ଖରିଫ ଧାନବୁଣା ପର୍ଯ୍ୟନ୍ତ ପାଞ୍ଚ ଛ ମାସ ଲାଗି ରାଜ୍ୟରେ ଆଉ କାମ ମିଳିବାର ସମ୍ଭାବନା ନାହିଁ I   

ଆପଣଙ୍କ ଭିତରୁ ବହୁଲୋକ ଗୋରୁହାଟ ଦେଖିଥିବେ I କିନ୍ତୁ ମଣିଷ ହାଟ କେବେ ଦେଖିଛନ୍ତି? ଯଦି ଦେଖି ନାହାନ୍ତି କେବେ ଫୁରୁସତରେ ଆସିବେ କଣ୍ଟାବାଞ୍ଜି ସହରକୁ? ବର୍ଷ ବର୍ଷ ଧରି ପ୍ରତି ନଭେମ୍ବର ମାସ ଦୁଇ ତିନି ସପ୍ତାହ ପାଇଁ ଏ ସହର ପାଲଟିଯାଏ ଓଡ଼ିଶାର ସବୁଠୁ ବଡ଼ ମଣିଷ ହାଟରେ I ସହରର ଗେଷ୍ଟ ହାଉସ୍ ଗୁଡ଼ିକରେ ଆସି ଡ଼େରା ଜମାନ୍ତି ଆନ୍ଧ୍ର, ତାମିଲନାଡ଼ୁର ଇଟାଭାଟି ସେଠ୍ ମାନେ I ଆଉ ପାଖ ଅଧା ଅନ୍ଧାର, ଅପନ୍ତରା ମଧୁଶାଳାର ନାଲି ନୀଳ ଆଲୁଅ ତଳେ ସ୍ଥାନୀୟ ଦାଦନ ଠିକାଦାରଙ୍କ ସହିତ ମଦିରା ଆସର ଭିତରେ ମୁଲ ଲାଗେ କେବିକେ ପ୍ରାନ୍ତର ହାଡ଼ୁଆ ମଣିଷଙ୍କର I ସେ କିଛିଦିନ ପାଇଁ ବିଶାଖାପାଟଣା-କୋର୍ବା ଲିଙ୍କ୍ ଏକ୍ସପ୍ରେସ୍ ତଥା ଦୁର୍ଗ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ କଣ୍ଟାବାଞ୍ଜି ଷ୍ଟେସନରେ ରହନ୍ତି ନିର୍ଧାରିତ ହଲ୍ଟ ସମୟଠୁଁ ଢେର ଅଧିକା ଅବଧି ପାଇଁ I ସବୁଯାକ ମୁଲ ସରିଥିବା ବେଠିଖଟା ମଜୁରିଆ ଟ୍ରେନର ଅଳ୍ପକେଇଟା ସାଧାରଣ ଶ୍ରେଣୀ ଡ଼ବା ଭିତରେ ଧାନବସ୍ତା ଭଳି ଖୁନ୍ଦିହୋଇ ଲଦା ସରିବା ପର୍ଯ୍ୟନ୍ତ I

 

ପ୍ରତିବର୍ଷ କଣ୍ଟାବାଞ୍ଜି ସହର ଦେଇ କେତେ ଯେ ଦାଦନ ଶ୍ରମିକ ଆନ୍ଧ୍ର ପ୍ରଦେଶ ଆଉ ତାମିଲନାଡ଼ୁର ଇଟାଭାଟି ଗୁଡ଼ିକରେ ବେଠି ଖଟିବାକୁ ଯାଆନ୍ତି ତାର ସଠିକ୍ ହିସାବ କାହା ପାଖରେ ନାହିଁ I ବଲାଙ୍ଗୀର ଜିଲ୍ଲାପାଳ ଏମ୍. ମୁଥୁକୁମାରଙ୍କ ଆକଳନରେ ଏ ସଂଖ୍ୟା ଲକ୍ଷେ ରୁ ଲକ୍ଷେ ପଚିଶ ହଜାର ଭିତରେ ହେବ I କିନ୍ତୁ ମାନବାଧିକାର କ୍ଷେତ୍ରରେ କାର୍ଯ୍ୟରତା ପ୍ରମୋଦିନୀ ପ୍ରଧାନଙ୍କ କହିବା ଅନୁସାରେ ସେ ସଂଖ୍ୟା କମ୍ ରୁ କମ୍ ରେ ବି ଦୁଇ ଲକ୍ଷ ଉପରେ ହେବ I

ରାଜ୍ୟରେ କାମର ଅଭାବ ଯୋଗୁଁ ପେଟପାଟଣା ପାଇଁ ଅନ୍ୟତ୍ର ପଳାୟନ ଓଡ଼ିଶାର ଏକ ଅଭାବନୀୟ ସାଧାରଣ ଘଟଣା I ପ୍ରତିବର୍ଷ ଗଞ୍ଜାମ ଭଳି ରାଜ୍ୟର ଉପକୁଳଳବର୍ତ୍ତି ଜିଲ୍ଲା ଗୁଡ଼ିକରୁ ହଜାର ହଜାର ଯୁବକ ଗୁଜୁରାଟ ଆଉ ମୁମ୍ବାଇର ଲୁଗାକଳ, ପାଣିଜାହାଜ ମରାମତି କାରଖାନା, ହୀରା ପଥର ଶିଳ୍ପଗୁଡ଼ିକରେ କାମ ପାଇବା ଆଶାରେ ଯାଇଥାନ୍ତି I ଆପଣ ଦିଲ୍ଲୀ, ହାଇଦ୍ରାବାଦ ଭଳି ସହରରେ ବହୁ ମଧ୍ୟବିତ୍ତ ଆଉ ନିମ୍ନ ମଧ୍ୟବିତ୍ତ ପରିବାରରେ ସୁନ୍ଦରଗଡ଼ ଭଳି ଜିଲ୍ଲାର ଯୁବତୀ ମାନଙ୍କୁ ରୋଷେଇବାସ ଆଉ ଅନ୍ୟାନ୍ୟ ପାଇଟି କାମ କରିବା ଦେଖିବାକୁ ପାଇବେ I ସେମିତି କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର ଜିଲ୍ଲାର ବହୁ ମଜୁରିଆ ଉତ୍ତର ପ୍ରଦେଶ, ଛତିଶଗଡ଼ ଆଦି ରାଜ୍ୟକୁ ଧାନ ବୁଣା ଆଉ ଅମଳ ସମୟରେ କାମ ପାଇଁ ଯିବା ବି ଖୁବ୍ ସାଧାରଣ ଘଟଣା I ରାଜ୍ୟରେ ଏତେ ବଡ଼ ସମୁଦ୍ର ଉପକୁଳ ଥାଇ ବି ମତ୍ସ୍ୟଶିଳ୍ପର ବିପର୍ଯ୍ୟସ୍ତ ଅବସ୍ଥା ଯୋଗୁଁ ବହୁ ମାଛ ଧରାଳି ଗୋଆ ଭଳି ଦୂର ରାଜ୍ୟର ମାଛ ବେପାରୀଙ୍କ ପାଖରେ ବେଠି ଖଟିବାକୁ ଯାଇଥାନ୍ତି I     

ସମଗ୍ର ଓଡ଼ିଶାର ଚାଷଜମି ପ୍ରାୟତଃ ଉର୍ବରିଆ I ବର୍ଷାପାଣିର ବି ସେମିତି ନିଅଣ୍ଟ ନାହିଁ I ରାଜ୍ୟରେ ଖଣିପଥର, ବନ୍ୟସମ୍ପଦର ପ୍ରାଚୁର୍ଯ୍ୟ ରହିଛି I ରାଜ୍ୟର ଅର୍ଥନୀତିର ଅଭୁତପୂର୍ବ ପ୍ରଗତି କଥା କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ନିତିଦିନ ଆପଣାର ନାଗରା ବଜେଇ ବୁଲୁଛନ୍ତି I ଏମିତିରେ ମନରେ ସ୍ୱତଃ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ତାହେଲେ ରାଜ୍ୟରେ କାମର ଏମିତି କୋଉ ଅଭାବ ରହୁଛି ଯୋଉଥିପାଇଁ ଭିଟାମାଟି ଛାଡ଼ି ଲକ୍ଷ ଲକ୍ଷ ଲୋକ ପ୍ରତିବର୍ଷ ଓଡ଼ିଶା ବାହାରକୁ ପଳାୟନପନ୍ଥୀ ହେଉଛନ୍ତି  I

ଯୋଉ ଗାଆଁ ମଫସଲରୁ ବେଶି ଲୋକ ଜୀବିକା ସନ୍ଧାନରେ ଅନ୍ୟତ୍ର ପଳାୟନ କରୁଛନ୍ତି ଆସନ୍ତୁ ସେଠିକାର ଦୃଷ୍ଟିକୋଣରେ ଏ ସମସ୍ୟାର କାରଣ ଖୋଜିବା I

 

(ଫଟୋ ସୌଜନ୍ୟ: ଜଷ୍ଟିନ୍ କେର୍ନୋଘାନ୍)

ଏବେବି ବର୍ଷାଦିନ ଆସିଲେ ସମଗ୍ର ବଲାଙ୍ଗୀର ଜିଲ୍ଲା ପାଲଟିଯାଏ ଏକ ସବୁଜ ଉପତ୍ୟକାରେ I ଆକାଶରେ ବର୍ଷାତୁର ପାଣିଗର୍ଭା ଧୁସର ମେଘର ସମ୍ଭାର I ଦୂର ଦିଗବଳୟରେ ଜଙ୍ଗଲଭରା ପାହାଡ଼ I ହିଡ଼ବନ୍ଧ ଡେଇଁ ଉଛୁଳି ପଡ଼ୁଥିବ ବିଲ ପାଣି ଆଉ ତହିଁରେ ନାଲି, ନେଳି, ହଳଦିଆ, ବାଇଗଣୀ ହରକିସମ ରଙ୍ଗର ପଲିଥିନ ମୁଣ୍ଡରେ ବାନ୍ଧି ଗାଆଁ ଝିଅ ବୋହୁ ଧାନ ରୋଉଥିବେ I  ଏମିତି ସମ୍ମୋହନକାରୀ ଦୃଶ୍ୟକୁ ଯେ କେହିବି ଚିତ୍ରକର ଉତ୍ତାମ ହେବ ନିଜ ତୁଳି ଆଉ କାନଭାସରେ ସାଉଁଟି ନେବାକୁ I 

କିନ୍ତୁ ସେଇ ବଲାଙ୍ଗୀର ଜିଲ୍ଲା ଆଜି ଦାଦନଶ୍ରମିକଙ୍କ ଖଣି ପାଲଟିଯାଇଛି କାହିଁକି? ବଙ୍ଗମୁଣ୍ଡାର ଜଣେ ସାମ୍ବାଦିକ ରାଜୀବ ସାଗାରିଆ କହନ୍ତି ଦିନ ଥିଲା ବଲାଙ୍ଗୀରର ବିଲ, ପାହାଡ଼, ନଦୀ ପର୍ଯ୍ୟାପ୍ତ ଥିଲା ସ୍ଥାନୀୟ ଲୋକଙ୍କୁ ବର୍ଷର ବାରମାସ ଜୀବିକା ଦେବାପାଇଁ I କିନ୍ତୁ ୧୯୬୫ ମସିହାର ମରୁଡ଼ି ଦୁର୍ବିପାକ ଏ ଅଞ୍ଚଳର ଅର୍ଥନୀତିକୁ ସଂପୂର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ତ କରିଦେଲା I 

ମରୁଡ଼ିଗ୍ରସ୍ତ ଲୋକଙ୍କୁ ରୋଜଗାର ଯୋଗେଇଦେବା ପାଇଁ ସେବର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏକ ସହଜ ଅଥଚ ଅଦୂରଗାମୀ ପନ୍ଥା ଆପଣେଇଲେ I କାଠ ବଦଳରେ ଖାଦ୍ୟ ଯୋଜନା ଲାଗୁ ହେବାରୁ ସାରା ବଲାଙ୍ଗୀର ଅଞ୍ଚଳରେ ବିଭିନ୍ନ ଜାଗାରେ ଗୋଟେ ପରେ ଗୋଟେ କରତକଳ ମୁଣ୍ଡ ଟେକିଲେ I ଲୋକେ ବି ଅଧିକରୁ ଅଧିକ ଟଙ୍କା ରୋଜଗାରର ଲୋଭ ସମ୍ବରଣ କରି ନ ପାରି ମନ ଇଚ୍ଛା ଜଙ୍ଗଲ ସଫା କରି ଚାଲିଲେ I ଖୁବ୍ ଶୀଘ୍ର ଏମିତି ସମୟ ଆସିଲା ଯେ କରତକଳ ଗୁଡ଼ିକପାଇଁ ବଣଜଙ୍ଗଲର କାଠ କମ୍ ପଡ଼ିଲା ଆଉ ଗୋଟିଏ ପରେ ଗୋଟିଏ ସବୁ ଯାକ କାରଖାନାରେ ତାଲା ପଡ଼ିଗଲା I

ଆଗରୁ ବର୍ଷକୁ ଛ ମାସ ଯେତେବେଳେ ଧାନଚାଷ ହେଉ ନଥିଲା ଲୋକେ କରତକଳରେ କିମ୍ବା ଆଖପାଖ ସହରରେ ଛୋଟମୋଟ କାମ ପାଇ ଯାଉଥିଲେ I କିନ୍ତୁ ଏଣିକି ସେ ପରିସ୍ଥିତି ବଦଳିବାରେ ଲାଗିଲା I ରାସାୟନିକ ସାରର ଅତ୍ୟଧିକ ପ୍ରୟୋଗ ଯୋଗୁଁ ଜମିର ଉର୍ବରା ଶକ୍ତି ଧିରେ ଧିରେ ହ୍ରାସ ପାଇବାକୁ ଲାଗିଲା ଏବଂ ଜଙ୍ଗଲ ନଷ୍ଟ ହେବା ଯୋଗୁଁ ବର୍ଷାପାତର ପରିମାଣରେ ବି ଅନିୟମିତତା ସୃଷ୍ଟି ହେବାକୁ ଲାଗିଲା I ଫଳରେ କୃଷି ଉତ୍ପାଦନ ଅନିଶ୍ଚିତ ହେବା ପ୍ରାକୃତିକ କଥା I

ପରିତତ୍ତ୍ୱବିତ୍ ବିଶ୍ୱଜିତ ମହାନ୍ତି କହନ୍ତି ପନ୍ଦର କୋଡ଼ିଏ ବର୍ଷ ତଳେ ଜୁନ୍ ମାସ ନ ଆସୁଣୁ ଓଡ଼ିଶାରେ ମୌସୁମୀର ଆଗମନ ହୋଇଯାଉଥିଲା I ସେପ୍ଟେମ୍ବର ପର୍ଯ୍ୟନ୍ତ ଚାରିମାସ ଖୁବ୍ ବର୍ଷା ହେବା ସାଙ୍ଗକୁ ନଭେମ୍ବର ମାସ ସରିବା ପର୍ଯ୍ୟନ୍ତ ବି ଝିପ୍ ଝିପ୍ ବର୍ଷା ଲାଗି ରହୁଥିଲା I ଅଥଚ ଏଣିକି ଜୁଲାଇ ମାସ ପହିଲା ପର୍ଯ୍ୟନ୍ତ ଲୋକଙ୍କୁ ଚାତକ ଭଳି ଅନେଇ ରହିବାକୁ ପଡୁଛି ଆକାଶକୁ ବର୍ଷାଟୋପେ ପାଇଁ I ସେପ୍ଟେମ୍ବର ମାସ ଭିତରେ ବି କେବେ କେବେ ୧୫ ରୁ କୋଡ଼ିଏ ଦିନ ମେଘର ଦେଖା ନାହିଁ I ଅକ୍ଟୋବର ମାସ ଆଡ଼କୁ ନିର୍ଘାତିଆ ବର୍ଷା ହେଲେ ଛାଷକୁ ବା ଲାଭ ମିଳିବ କେଉଁଠୁ? ସେତେବେଳକୁ ତ ବିଲର ଧାନ ଗଛସବୁ ଝାଉଁଳି ଗଲାଣି I

(ବାସୁଦେବ ନାଗ)

ତା ଛଡ଼ା ଜନସଂଖ୍ୟା ସିନା ବଢୁଛି ହେଲେ ଚାଷଜମି ତ ଯେତିକି କୁ ସେତିକି I  ହଳଦିପତ୍ରପଲ୍ଲିର ଚାଳିଶି ବର୍ଷ ପାଖାପାଖି ବୟସର ବାସୁଦେବ ନାଗ କହନ୍ତି କୋଡ଼ିଏ ବର୍ଷ ତଳେ ତାଙ୍କ ବାପାଙ୍କ ଅମଳରେ ଯେଉଁ ବାର ଏକର ଜମିରେ  ତିନିଟା ପରିବାର ପୋଷି ହେଉଥିଲେ, ଆଜି ସେତକ ଜମିରେ ନ ଟା ପରିବାର କୁଟୁମ୍ବଙ୍କୁ ପେଟ ପୋଷୁବାକୁ ପଡ଼ୁଛି I ତାଛଡ଼ା ଓଡ଼ିଶାର ପ୍ରାୟତଃ ଲୋକ ଛୋଟଚାଷୀ କିମ୍ବା ଭାଗ ଚାଷୀ I ନେହେଲେ ଜମିହରା ଚାଷ ମଜୁରିଆ I ତେଣୁ ଧାନଚାଷ କିମ୍ବା ତହିଁରେ ମଜୁରିରୁ ଯେତିକି ଆମଦାନି ହେଉଛି ସେତିକିରେ ବର୍ଷରୁ ପାଞ୍ଚ ଛ ମାସ ବି ଏଣିକି ପେଟ ପୋଷିବା ଦୁରୁହ ବେପାର ହେଲାଣି I ଆଖପାଖ ସହର ଅଞ୍ଚଳରେ ଆଉ କିଛି ଶିଳ୍ପ କି କାରଖାନା ନାହିଁ I 

ତାଛଡ଼ା ଆଉ ଗୋଟେ କାରଣ ହେଉଛି ନବୀନ ସରକାର କି କେନ୍ଦ୍ର ସରକାର କୃଷକ ମାନଙ୍କୁ ସୁବିଧାରେ ଋଣ ଯୋଗେଇ ଦେବାର ବଡ଼ ବଡ଼ ଭାଷଣ ଦେଉଛନ୍ତି ସିନା ହେଲେ ତାର କାର୍ଯ୍ୟକାରିତା ଦେଖିବାକୁ ମିଳୁନାହିଁ I ସାର, ବିହନ ପାଇଁ କି କାହା ଘରେ କିଏ ବେମାର ପଡ଼ିଗଲେ ଔଷଧପତ୍ର ପାଇଁ କିମ୍ବା କାହାର ଝିଅ ବାହଘର ପାଇଁ ଟାଙ୍କା ଦରକାର ହେଲେ ଅନ୍ୟଥା ଉପାୟ ନ ପାଇ ଲୋକଙ୍କୁ ଗାଆଁ ସାହୁକାରଙ୍କ ପାଖରୁ ଚଢା ସୁଧରେ କରଜ ଆଣିବାକୁ ପଡ଼ୁଛି I ତେଣୁ ସେ କରଜ ସୁଝିବାକୁ ହେଲେ ଚାଷ ନ ହେଉଥିବା ଛ ମାସ ରାଜ୍ୟ ବାହାରେ ଯାହା କାମ ଯେମିତି ମିଳୁ ପଛକେ ତା ସନ୍ଧାନରେ ଯିବା ଛଡ଼ା ଆଉ ଲୋକଙ୍କ ପାଖରେ ବାଟ ବି ତ ନାହିଁ I

ତେବେ ଓଡ଼ିଶାରୁ ରପ୍ତାନି ହେଉଥିବା ଦାଦନ ଶ୍ରମିକଙ୍କ ଭିତରୁ ମାତ୍ରାଧିକ ଲୋକ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ତାମିଲନାଡ଼ୁ ଏବଂ କେରଳର ଇଟାଭାଟି ଗୁଡିକରେ ହିଁ କାହିଁକି କାମ କରିବାକୁ ଯାଆନ୍ତି ସେଠିକାର ଦୁର୍ବିସହ ପରିସ୍ଥିତି ସମ୍ବନ୍ଧରେ ଜାଣି ବି? ଏ ପ୍ରଶ୍ନର ଉତ୍ତର ସନ୍ଧାନରେ ସ୍କ୍ରଲ୍ ସାମ୍ବାଦିକ ରାଜଶେଖର ଭେଟିଥିଲେ ସେଇ ହଳଦିପତ୍ରପଲ୍ଲିର ଆଉ ଜଣେ ନିବାସୀ ଥିରୁଗୌର ରଣାଙ୍କୁ I

ଝିଅ ବାହାଘର ପାଇଁ ଚାଷୀ ରଣା ଅନୋନ୍ୟପାୟ ହୋଇ କୋଡ଼ିଏ ହଜାର ଟଙ୍କା ହାତ ଉଧାରି ନେଇଥିଲେ ୨୦୧୦ ମସିହାରେ I ଦଶ ହଜାର ଜଣେ ଗାଆଁ ସାହୁକାର ପାଖରୁ ଆଉ ବଳକା ଦଶ ହଜାର ଗାଆଁର ଯାଦବ ସମାଜରୁ ମାସିକିଆ ୧୦ ପ୍ରତିଶତ ଚଢା ସୁଧରେ I ପାଞ୍ଚ ମାସର ମୋହଲତ ମାଗିଥିଲେ ସମୁଳ ସୁଧ ଫେରେଇବାପାଇଁ I ଅର୍ଥାତ୍ ପାଞ୍ଚମାସରେ ତାଙ୍କୁ ସୁଝିବାକୁ ପଡ଼ିବ ୩୦ ହଜାର ଟଙ୍କା I ଆପଣ ଯଦି ବରପୁତ୍ର ବିଜୁବାବୁଙ୍କ ସ୍ୱପ୍ନଭାର ମୁଣ୍ଡେଇ ଓଡ଼ିଶା ପାଇଁ ଦିବାରାତି ଅନିଦ୍ରା ରହି ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଦେଇଥିବା ନବୀନ ବାବୁଙ୍କ ଜନହିତକର ଶାସନ ଉପରେ ନିଘା ରଖୁଥିବେ ତେବେ ଏକ୍ଷଣି ଆପଣଙ୍କ ମସ୍ତିଷ୍କର କୋଉ ଗୋଟେ କଣରେ ଟଙ୍ଗ୍ କରି ଘଣ୍ଟାଟିଏ ବାଜି ସାରିବଣି I ବାଜିନି ଯଦି ସୂଚେଇ ଦେଉଛି ଯେ ନିର୍ମାଣ ଏବଂ ଅନ୍ୟାନ୍ୟ ଶ୍ରମିକଙ୍କ ପାଇଁ ପ୍ରତି ମେ ପହିଲାରେ ନିଜ ଭାଷଣରେ ଯେଉଁ ଗୋଟେ ପରେ ଗୋଟେ ଯୋଜନା ବାନ୍ତି କରି ରାଜ୍ୟବାସୀଙ୍କ ବାହାବା ମୁଣ୍ଡାଉଛନ୍ତି ଆମ ମୁଖ୍ୟମନ୍ତ୍ରୀ ତା ଭିତରୁ ଗୋଟେ ଯୋଜନା ହେଲା ପ୍ରତି ଶ୍ରମିକଙ୍କୁ ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କାର ଅନୁଦାନ I ହେଲେ ଏ ଯୋଜନା ସବୁ କେବଳ କାଗଜ କଲମରେ ଆଉ ଖବର କାଗଜ ଶୀର୍ଷକରେ ହିଁ ସୀମିତ ରହିଯାଏ I ଆଉ ରଣା ଭଳି ଚାଷୀ ଶ୍ରମିକ ସାହୁକାରଙ୍କ ପଞ୍ଝାର ଶିକାର ହୋଇ ଲହୁ ଲୁହାଣ ହୁଅନ୍ତି; ଏଇଆ ତାଙ୍କ ଭାଗ୍ୟ I 

ଋଣଭାର ମୁଣ୍ଡରୁ ଉତାରିବାର ବିବଶତା ରଣାଙ୍କୁ ନିଜ ସ୍ତ୍ରୀ ଆଉ ପନ୍ଦର ବର୍ଷର ପୁଅକୁ ନେଇ ଶେଷରେ ଠିଆ କରେଇଦେଲା କଣାବାଞ୍ଜି ଷ୍ଟେସନ ପାଖ ଲଜରେ କୁଣ୍ଡଳି ମାରି ବସିଥିବା ନିଜ ଇଟାଭାଟି କାରଖାନା ପାଇଁ ତାମିଲନାଡ଼ୁର ତିରୁଭଲ୍ଲୁର ଜିଲ୍ଲାରୁ ଓଡ଼ିଶାକୁ କ୍ରୀତଦାସ କିଣିବାକୁ ଆସିଥିବା ଜଣେ ଶେଠଙ୍କ ପାଦ ତଳେ I ଜଣେ ସ୍ଥାନୀୟ ସର୍ଦ୍ଦାରଙ୍କ ମାଧ୍ୟମରେ ବୁଝାମୁଣା ହେଲା ଯେ ପ୍ରତି ଶେଠ ପୁରା ତିରିଶି ହଜାର ଟଙ୍କା ଆଗତୁରା ବିନା ସୁଧରେ ଦେବେ ରଣାଙ୍କୁ ଗୋଟିଏ ସର୍ତ୍ତରେ I ପାଉଣା ଅସୁଲ ହେବା ଯାକେ ବନ୍ଧୁଆ ମଜଦୁର ହେବାକୁ ପଡ଼ିବ ରଣାଙ୍କୁ I ହଜାରେ ଇଟା ତିଆରିକଲେ ମିଳିବ ପଚାଶ ଟଙ୍କା I ଅର୍ଥାତ୍ ୬ ଲକ୍ଷ ଇଟା ସାରିବକୁ ପଡ଼ିବ ଖରିଫ ଅମଳ ଆଗରୁ, ପାଞ୍ଚ ମାସ ଭିତରେ – ପୁଣି ଧାନ ଚାଷ ଋତୁ ଆଗରୁ ଫେରିବାକୁ ହେଲେ I  

୧୫୦ ଟା ଦିନରେ ୬ ଲକ୍ଷ ଇଟା ସାରିବାକୁ ହେଲେ ଦିନକୁ ଚାରି ହଜାର ଇଟା ତିଆରି କରିବାକୁ ପଡ଼ିବ I ଏକା ମଣିଷ କରିବ କେମିତି? ସ୍ତ୍ରୀ, ଛୁଆଙ୍କୁ ସାଥିରେ ନେଲେ ହୁଏତ ସାହାଯ୍ୟ ମିଳିବ I ସୁତରାଂ ପରିବାର ଧରି ରଣା କଣ୍ଟବାଞ୍ଜି ଷ୍ଟେସନରୁ ରେଳଗାଡ଼ିରେ ଗୋରୁ ଛେଳି ଭଳି ଲଦି ହୋଇ ଚାଲିଲେ ତିରୁଭଲ୍ଲୁରକୁ I ଏଇଠି ଆପଣଙ୍କ ମସ୍ତିଷ୍କରେ ଦ୍ୱିତୀୟ ଘଣ୍ଟାଟି ଟଙ୍ଗ୍ କରି ବଜେଇ ଦେବା ଉଚିତ ହେବ I ଆପଣଙ୍କର ମନେ ଅଛି ନବୀନବାବୁଙ୍କ ଶ୍ରମିକ ଛାତ୍ରବୃତ୍ତି ଯୋଜନା? ସପ୍ତମରୁ ଦଶମ ପଢୁଥିବା ଶ୍ରମିକଙ୍କ ପିଲାଙ୍କୁ ବର୍ଷକୁ ଦୁଇ କି ଅଢେଇ ହଜାର ଶିକ୍ଷାବୃତ୍ତି ମିଳିବା କଥା I ରଣା ଭଳି ଦାଦନ ଶ୍ରମିକର ପୁଅ ଦୁଇ ହଜାର ଟଙ୍କା ଆଶାରେ ସ୍କୁଲ୍ ଯିବ ନା ଭଉଣି ବାହାଘର ପାଇଁ ନେଇଥିବା କରଜ ବାପ ମୁଣ୍ଡରୁ ଉତାରିବାକୁ ବହି ବସ୍ତାନିକୁ ନିଆରା କରି ମାଆ, ବାପା ସାଥିରେ ଯିବ ଦାଦନ ଖଟିବାକୁ? ଭୁବନେଶ୍ୱର ସଚିବାଳୟର ଶୀତତାପ ନିୟନ୍ତ୍ରିତ ରୁଦ୍ଧ କୋଠରିରେ ବସି ଶ୍ରମିକ କଲ୍ୟାଣ ପାଇଁ ଚିନ୍ତାଗ୍ରସ୍ତ ଆଇଏଏସ୍ ଅଧିକାରୀ ଆଉ ମନ୍ତ୍ରୀମାନେ ଯଦି ରଣା ଭଳି ଲୋକ ଆଉ ତାଙ୍କ ପରିବାରଙ୍କୁ ପଚାରି ଯୋଜନା ତିଆରି କରୁଥାନ୍ତେ ଭଲ ହୁଅନ୍ତା I

 

(ଥିରୁଗୌର ରଣା)

ଇଟାଭାଟି ଶେଠଠୁଁ ମିଳିଥିବା ତିରିଶି ହଜାର ଟଙ୍କା ତ କରଜ ସୁଝିବାରେ ଗଲା I ତେଣୁ ତିନି ପ୍ରାଣୀଙ୍କୁ ତିନି ଓଳି ପେଟର ଭୋକ ମିଟେଇବାକୁ ପଡ଼ିବ ଦିନକୁ ବଦାନ୍ୟ ଶେଠ୍ ପାଖରୁ ମିଳୁଥିବା ୫୦ ଟଙ୍କା ଖାଦ୍ୟ ଭତ୍ତାରେ I ମୁନ୍ଦେ ତୋରାଣି ସାଙ୍ଗକୁ ଆଳୁ ପୋଡ଼ା କି ପିଆଜ ଖଣ୍ଡେରୁ ଅଧିକ କଣ ବା ସୌଭାଗ୍ୟ ହେବ ସେତିକି ଅର୍ଥରେ? ଆଉ ତାକୁ ଖାଇ ଦେହରେ କେତେ ବା ବଳ ଆସିବ? କେଇଟା ସପ୍ତାହ ବିତିଗଲା ପରେ ବି ଜମାରୁ ସାତ ଆଠ ହଜାର ଇଟା ତିଆରି ହେବା ଦେଖି ଶେଠ୍ ରାଗରେ ଗରଗର I ଗାଳି ଗୁଲଜ ଆଉ ମାଡ଼ ଖାଇବାକୁ ପଡ଼ିଲା ରଣାକୁ ଶେଠର ଗୁଣ୍ଡାମାନଙ୍କ ପାଖରୁ I

ଯୋଗକୁ ଇଟାଭାଟି କାରଖାନାରେ ଶ୍ରମିକଙ୍କ ଅତ୍ୟାଚାର ବିଷୟରେ କିଛି ଅଭିଯୋଗ ଶୁଣି ତିରୁଭଲ୍ଲୁରର ଜିଲ୍ଲାପାଳ ରଣା କାମ କରୁଥିବା ଜାଗାରେ ଏପ୍ରିଲ୍ ୨୦୧୧ ରେ ଚଢାଉକରି ସବୁଯାକ ଦାଦନ ଶ୍ରମିକଙ୍କୁ ମୁକୁଳେଇଥିଲେ I କିନ୍ତୁ ରଣା ପରି ସବୁ ଦାଦନ ଶ୍ରମିକଙ୍କ କପାଳରେ ଶିକା ଛିଡ଼େନି I ଆପଣଙ୍କ ଭିତରୁ ଅନେକଙ୍କ ମନେଥିବ ଜାନୁଆରି ୨୦୧୫ ମସିହାରେ ସବୁ ଖବରକାଗଜରେ ଛପିଥିଲା ଦୁଇ ଓଡ଼ିଆ ବନ୍ଧୁଆ ମଜଦୁରଙ୍କ କାହାଣୀ, କେମିତି ଇଟାଭାଟି ଶେଠର ଗୁଣ୍ଡାମାନେ କାମରେ ଖିଲାପି ଅଭିଯୋଗରେ ଦୁଇ ଜଣଙ୍କ ହାତକୁ ହାଣି ଗଣ୍ଡିରୁ ଅଲଗା କରି ଦେଇଥିଲେ !

ବନ୍ଧୁଆ ମଜଦୁରଙ୍କ ଉପରେ ହେଉଥିବା ଅକଥନୀୟ ପାଶବିକ ନିର୍ଯ୍ୟାତନା, ଶ୍ରମିକ କ୍ୟାମ୍ପରେ ଗୃହବନ୍ଦୀ କରି ରଖିବା ଆଉ ମହିଳା ଦାଦନ ଶ୍ରମିକଙ୍କ ସହିତ ଯୌନ ଶୋଷଣର ବିଭୀଷିକା ସଂକ୍ରାନ୍ତରେ ବହୁ ଲେଖକ, ଗବେଷକ, ମାନବାଧିକାର କର୍ମୀ ମୋଟା ମୋଟା ନିବନ୍ଧ ମାନ ଲେଖି ସାରିଛନ୍ତି I କେବେ ସମୟ ମିଳିଲେ ଇଣ୍ଟର୍ନେଟରେ ସହଜରେ ଉପଲବ୍ଧ ବନ୍ଧୁଆ ମଜଦୁରଙ୍କ ସେ ହୃଦୟ ବିଦାରକ କାହାଣୀରୁ କିଛି ହେଲେ ପଢିବେ ନିଶ୍ଚୟ I

ରଣା ଭଳି ଲୋକର ଉଦାଃହରଣରୁ ଆପଣ ଦେଖିସାରିଥିବେ କିପରି ଅଧିକା ପାଉଣା ବା ସଞ୍ଚୟର ଲାଳସା ନୁହଁ ବରଂ ଋଣଭାରର ବିବଶତା ହିଁ ଲୋକଙ୍କୁ ଠେଲି ଦେଇଥାଏ ଦାଦନ ମଜଦୁରିକୁ I କିନ୍ତୁ ଇଟାଭାଟି ଗୁଡ଼ିକରେ ହିଁ ଅଧିକାଂଶ ମଜୁରିଆ କାମ କରିବାକୁ ଯିବାର ତର୍କ କଣ? 

ୟାର ଉତ୍ତର ପାଇଁ  ପ୍ରଶ୍ନ ବି ପଚାରିବାକୁ ପଡ଼ିଲାନି ସ୍କ୍ରଲ ସାମ୍ବାଦିକ ରାଜଶେଖରଙ୍କୁ I କଣ୍ଟାବାଞ୍ଜିରୁ ବିଜେଡ଼ି ବିଧାୟକ ଆୟୁବ ଖାନଙ୍କ ଭାଇ ହରୁଣ ଖାନ ଯେ କି ଜଣେ ଦାଦନ ଶ୍ରମିକ ଠିକାଦାର ତାଙ୍କରି ସହିତ କଥା ହେଉଥିଲା ବେଳକୁ ଜଣେ ଲୁହ ତମ ତମ ଗ୍ରାମବାସୀ ଆସି ହାତ ଯୋଡ଼ିଲା ତାଙ୍କୁ ପାଞ୍ଚ ହଜାର ଟଙ୍କା ହାତ ଉଧାରି ପାଇଁ I ମଲା ମାଆର ଶବ ପଡ଼ିଛି ଘରେ ଅଥଚ ତାକୁ ଶବସତ୍କାର ପାଇଁ କାଠ ଯୋଗାଡ଼ କରିବାକୁ ବି ସମ୍ବଳ ନାହିଁ I ହରୁଣ ଖାନ ତୁରନ୍ତ ଟଙ୍କା କାଢି ଦେଇଦେଲେ – ସାହୁକାର ଭଳି ମାସିକିଆ ଦଶ ପ୍ରତିଶତ ସୁଧରେ ନୁହଁ, ବରଂ ଏଇ ସର୍ତ୍ତରେ କି ଖାଲି ମୁଳ ପଇସା ସୁଝିବାକୁ ଏଥରକ ଦାଦନ ଖଟିବାକୁ ତେଲେଙ୍ଗାନାର ଏକ ଇଟାଭାଟିକୁ ଯିବାକୁ ହେବ. ବାସ୍ I ଦାଦନ ଠିକାଦାରଙ୍କ ଏଇ ବିନା ସୁଧରେ ବଡ଼ ଛୋଟ ଋଣ ଛଟ୍ କିନା ଦେଇଦେବାଟାହିଁ ଲୋକଙ୍କୁ ବାଟ କଢେଇନିଏ ତାଙ୍କ ପାଲକୁ I 

ଏଇଠି ଟିକେ ବିରାମ ନେବା ଠିକ୍ ହେବ ବୋଧ ହୁଏ I କାହିଁକି ନା ମୋତେ କାହିଁକି ଆଖପାଖ କୋଉ ରୁମରେ ପିତଳ ଗରା କି ହାଣ୍ଡିଟେ ମୁଷା କି ବିଲେଇ ଥାକରୁ ପକେଇଦେବାର ଝଣ୍ କିନା ଶବ୍ଦଟିଏ ଶୁଭିଲା I କଣ? ଆପଣ ଶୁଣି ପାରିଲେନି? ଠିକ୍ ଅଛି, ନବୀନବାବୁଙ୍କ ହରିଶ୍ଚନ୍ଦ୍ର ଯୋଜନା ବିଷୟରେ ତ ଶୁଣିଥିବେ ନିଶ୍ଚୟ I ୨୦୧୧ ମସିହରୁ ପ୍ରତି ଗରୀବ ଶ୍ରମିକ ପରିବାରରେ କାହାରି ସ୍ୱର୍ଗବାସ ହେଲେ, ଶବ ସତ୍କାରପାଇଁ ପାଞ୍ଚ ହଜାର ଟଙ୍କାର ସରକାରି ଅନୁଦାନ ମିଳିବା କଥା I ହେଲେ ଏଠି ତ ତାଙ୍କ ନିଜ ବିଧାୟକଙ୍କ ଭାଇ ଦାଦନ ଖଟେଇବାର ପ୍ରଲୋଭନରେ ସମ୍ଭାଳି ନପାରି ବିବଶ ଲୋକଙ୍କୁ ବାଟବଣା କରୁଛନ୍ତି I ଏଇ କୃର ଆବେଗଟି ମୋ ମନରେ ଝଣ୍ କରି ଘଣ୍ଟି ବଜେଇ ଦେଇଥିବ ବୋଧ ହୁଏ I ଆପଣ ହିଁ ଠିକ୍, ମୋ ମନରେ ଭ୍ରମ ଥିଲା I କିଛି ପିତଳ ଗରା କି ହାଣ୍ଡି ପଡ଼ିନି ବୋଧେ କେଉଁଠି ଥାକରୁ I

ତେବେ ଓଡ଼ିଶାରେ ଦାଦନ ଶ୍ରମିକ ସମସ୍ୟାର କଣ ସମାଧାନ ପନ୍ଥା କିଛି ନାହିଁ? ୟାର ଖୁବ୍ ସରଳ ଆଉ ସହଜ ସମାଧାନର ବାଟଟିଏ ଅଛି ନିଶ୍ଚୟ I ହେଲେ ବିଜୁବାବୁ ବୋଧେ ସେ ବିଷୟରେ ନିଜେ ସ୍ୱପ୍ନ ଦେଖି ନଥିଲେ ସେଇଥିପାଇଁ ତାଙ୍କ କାଢୁଆ ପୁଅ ନବୀନ ପଟ୍ଟନାୟକ ସେ ସମାଧାନ ଉପରେ ଅମଳ କରିବା ଉଚିତ ମଣି ନାହାନ୍ତି I ବରଂ ସେ ସମାଧାନ କିପରି ପ୍ରଭାବୀ ହୋଇ ପାରିବନି ସେଇ ଜିଦରେ ପୁରା ପ୍ରଶାସନ କଳକୁ ଲଗେଇ ଦେଇଛନ୍ତି ଦାଦନ ଶ୍ରମିକଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବା ପାଇଁ I

 

ବର୍ଷର ଯେଉଁ ଛ ମାସ ଚାଷକାମ ହୁଏ ନାହିଁ ସେ ସମୟରେ ଲୋକ କାମ ପ୍ରଲୋଭନରେ ବନ୍ଧୁଆ ମଜୁରି ଖଟିବାକୁ ରାଜ୍ୟ ବାହାରକୁ ନ ଯିବେ ଏଇ ମହତ ଉଦ୍ଦେଶ୍ୟରେ ଧାର୍ଯ୍ୟ ହୋଇଥିଲା ଯେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ସୁନିଶ୍ଚୟ ଯୋଜନା (ମନରେଗା) ଆନୁକୁଲ୍ୟରେ ପଶ୍ଚିମ ଓଡ଼ିଶାର ପ୍ରତିଟି ଅଭାବଗ୍ରସ୍ତ ପରିବାରପିଛା ୧୫୦ ଦିନ କାମ ମିଳିବ I ୟାକୁ ଯଦି ଠିକ୍ ଢଙ୍ଗରେ ଲାଗୁ କରି ଲୋକଙ୍କୁ କାମ ଯୋଗାଇ ଦିଆଯାଆନ୍ତା ତେବେ ଦାଦନ ଖଟି ସେମାନେ ଯେଉଁ ୩୦ ହଜାର ଟଙ୍କା ରୋଜଗାର କରୁଛନ୍ତି, ସେତକ ନିଜ ଗାଆଁ ମଫସଲ ପାଖ ଅଞ୍ଚଳରେ ବନୀକରଣ କି ରାସ୍ତା ତିଆରି ବା ଛୋଟ ଜଳସେଚନ ଭଳି ଭିତ୍ତିଭୂମି ତିଆରିପାଇଁ ମନରେଗାରେ କାମ କରି ଲୋକେ ଆମଦାନି କରିପାରନ୍ତେ I ତେଣୁ ବନ୍ଧୁଆ ମଜୁରି ଖଟିବାକୁ ବାଧ୍ୟ ହୁଅନ୍ତେ ନାହିଁ I  

କିନ୍ତୁ ଆପଣ କହି ପାରନ୍ତି ନବୀନଙ୍କ ପାରଙ୍ଗମ ପ୍ରଶାସନ ତ ମନରେଗାର ସଫଳ କାର୍ଯାନ୍ୱୟନର ପରିସଂଖ୍ୟାନ ଦେଖେଇ ଖୁବ୍ ବାହାବା ନେଉଛନ୍ତି I ତାହେଲେ ବିଜୁ ଜନତା ଦଳ ସୁସ୍ଥ ପ୍ରଶାସନର ସେ ତଥ୍ୟ ଆଉ ତୃଣମୁଳ ବାସ୍ତବିକତା ଭିତରର ଫରକ କେତେ ତାକୁବେ ଟିକେ ଅନୁଧ୍ୟାନ କରିବା ସେଇ ବଲାଙ୍ଗୀର ଜିଲ୍ଲାର ଉଦାଃହରଣରେ I 

ଓଡ଼ିଶା ସରକାରଙ୍କ କାଗଜପତ୍ର କହୁଛି ୨୦୧୫-୧୬ ବିତ୍ତିୟ ବର୍ଷରେ ସମଗ୍ର ବଲାଙ୍ଗୀର ଜିଲ୍ଲାରେ ୫୭,୯୧୬ ଜଣ ଲୋକ ମନରେଗା କାମ ପାଇଁ ଆବେଦନ କରିଥିଲେ ଆଉ ତାଙ୍କ ଭିତରୁ ୫୭,୧୫୪ ଲୋକଙ୍କୁ ସରକାର କାମ ଯୋଗାଇ ଦେବାକୁ ସକ୍ଷମ ହୋଇଥିଲେ I ଯଦି ପଞ୍ଚାୟତ ସ୍ତରରେ ମନରେଗା କାର୍ଯ୍ୟାନ୍ୱୟନର ସରକାରି ତଥ୍ୟ ଦେଖିବା ତେବେ ତ ତାଜୁବ୍ ନ ହୋଇ ଚାରା ନାହିଁ I ନବୀନବାବୁଙ୍କ ସରକାର କହନ୍ତି କୁଇବାହାଲ ଗ୍ରାମରେ କେବଳ ୪୨ ଜଣ ପରିବାର କାମ ମାଗିଥିଲେ ଆଉ ପାଇଥିଲେ ବି I କିନ୍ତୁ କୁଇବାହାଲ ଗ୍ରାମବାସୀ ନିଜେ କହନ୍ତି ଯେ ଖାଲି ୨୦୧୩-୧୪ ମସିହାରେ ଅଭାବଗ୍ରସ୍ତ ପରିବାରଙ୍କ ୩୦ ରୁ ୪୫ ଦିନ କାମ ମିଳିଥିଲା ଆଉ ତା ପରେ ଗତ ଦୁଇ ବର୍ଷ ହେଲା ଗାଆଁର ଗୋଟିଏ ବି ପରିବାରକୁ ଦିନକ ପାଇଁ ବି କାମ ମିଳି ନାହିଁ I

ନବୀନ ସରକାର ସତ କହୁଛନ୍ତି ନା କୁଇବାହାଲ ଲୋକେ ମିଛ କହୁଛନ୍ତି? କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ କହନ୍ତି ନବୀନ ସମସ୍ତଙ୍କୁ ଭୁଆଁ ବୁଲାଉଛନ୍ତି I ନଥିପତ୍ରରେ କାମ ଚାଲିଛି ଆଉ ଶହ ଶହ କୋଟି ଟଙ୍କା ନେତା ଆଉ ସରକାରି ବାବୁଙ୍କ ଦ୍ୱାରା ବାଟମାରଣା ହେଉଛି I ନିଜ ପକ୍ଷକୁ ପ୍ରମାଣ କରିବାକୁ ସେ ଯେଉଁ ତଥ୍ୟ ଦିଅନ୍ତି ତାହା ନିତାନ୍ତ ଚାଞ୍ଚଲ୍ୟକର I ଓଡ଼ିଶା ସରକାରଙ୍କ କହିବା ଅନୁସାରେ ବଲାଙ୍ଗୀର ଜିଲ୍ଲାରେ ଗତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ୯୦,୫୦୮ ଦିନ କାମର ଆବେଦନ ମିଳିଥିଲା, ଅଥଚ ନବୀନ ସରକାର ମାତ୍ର ୧୫,୪୯୫ ଦିନର କାମ ଯୋଗାଇଦେବା ପାଇଁ ହିଁ ସମର୍ଥ ହୋଇଥିଲେ I କୁଇବାହାଲ ଗାଆଁରେ ୫,୯୫୩ ଦିନ କାମର ଆବଶ୍ୟକତା ଥିଲା, ଆଉ ସେ କ୍ଷେତ୍ରରେ କାମ ସୃଷ୍ଟି କରା ହୋଇ ପାରିଥିଲା କେବଳ ୯୦ ଦିନର I  

କାହିଁକି ମିଳୁନି କୁଇବାହାଲ ଗାଆଁ ଲୋକଙ୍କୁ ମନରେଗା କାମ? ଅନୁସନ୍ଧାନରୁ ଜଣା ପଡ଼ିଲା ୟାର ମୁଖ୍ୟ ଖଳନାୟକ ହେଲେ ସେଠିକାର ସରପଞ୍ଚ I ଯିଏ ସରକାରି ଯୋଜନାରେ କାମ ଦେବ ସେ ନିଜେ ଜଣେ ବାହାର ରାଜ୍ୟକୁ ବନ୍ଧୁଆ ଶ୍ରମିକ ପଠାଉଥିବା ଦାଦନ ସର୍ଦ୍ଦାର I ନିଜେ ଯେତେବେଳେ ପ୍ରତି ଶ୍ରମିକ ପିଛା ମୋଟା କମିସନ ପାଉଛନ୍ତି, ଦାଦନ ଶ୍ରମିକଙ୍କ ହିତ ପାଇଁ ସେ ବା କାମ କରିବେ କେମିତି?

 

(କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନଙ୍କ ଭାଇ ହରୁଣ ଖାନ)

କୌତୁହଳ ସୃଷ୍ଟି ହେଉଥିବ ନିଶ୍ଚୟ କି ତାହେଲେ ଜଣେ ଜଣେ ଦାଦନ ଶ୍ରମିକ କେତେ ଟଙ୍କା ପାଅନ୍ତି କମିସନ? ୟାର ଉତ୍ତର କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନଙ୍କ ଦାଦନ ସର୍ଦ୍ଦାର ଭାଇ ହରୁଣ ଖାନଙ୍କ ପାଖରୁ ମିଳେ I ତାଙ୍କ କହିବାରେ ଖାଲି ଚାଲାଣ କରୁଥିବା ଶ୍ରମିକ ପିଛା ନୁହଁ, ସେ ଦାଦନ ଶ୍ରମିକମାନେ ଇଟାଭାଟି ମାଲିକଙ୍କ ପାଇଁ ଯେତେ ଇଟା ତିଆରି କରିପାରିବେ ପ୍ରତି ୧୦୦୦ ଇଟା ଉପରେ ତାଙ୍କୁ ମିଳେ ୨୦ ଟଙ୍କା I ଗୋଟିଏ ଗୋଟିଏ ଇଟାଭାଟି ବର୍ଷକୁ କୋଟିଏ ଇଟା ତିଆରି କରନ୍ତି I ଅର୍ଥାତ୍ ଇଟାଭାଟି ପିଛା ବର୍ଷକୁ ଆମଦାନି ୨ ଲକ୍ଷ ଟଙ୍କା I ହରୁଣ ପାଞ୍ଚଟି ଇଟାଭାଟିକୁ ଦାଦନ ଶ୍ରମିକ ଚାଲାଣ କରନ୍ତି I ଅର୍ଥାତ୍ ଘରେ ବସି ବସି ମଣିଷ ନିଲାମିରୁ ବର୍ଷକୁ କମାଉଛନ୍ତି ୧୦ ଲକ୍ଷ ଟଙ୍କା I ହରୁଣ  ହେଉଛନ୍ତି ବଲାଙ୍ଗୀର ଜିଲ୍ଲାର ସବୁଠୁ ବାହୁବଳୀ ଦାଦନ ସର୍ଦ୍ଦାର I ଲୋକଙ୍କ କହିବା କଥା ଯେ ସେମିତି ପ୍ରାୟ କୋଡ଼ିଏ ପଚିଶ ସର୍ଦ୍ଦାର ନିୟନ୍ତ୍ରଣ କରୁଛନ୍ତି ପୁରା ବଲାଙ୍ଗୀର ଅଞ୍ଚଳର ଦାଦନ ଅର୍ଥନୀତି I

ଏଇ ହେଉଛି ଓଡ଼ିଶାର – ଖାସ୍ କରି ପଶ୍ଚିମ ଓଡ଼ିଶାର ଦାଦନ ଅଭିଶାପର ପୃଷ୍ଠଭୂମି ଏବଂ କତିପୟ ନାୟକଙ୍କ ପ୍ରସ୍ତାବନା I

ଶାସକ ଆଉ ଶାସକଙ୍କ ପରିଜନ ଯେଉଁଠି ଭକ୍ଷକ ହେବେ ସେଠି ଶାସିତଙ୍କ ହିତ ହେଜିବ କିଏ? ଦାଦନ ଶାପଗ୍ରସ୍ତ ଓଡ଼ିଶା ସଂକାନ୍ତରେ ମନକୁ ଆନ୍ଦୋଳିତ କଲା ଭଳି ଏ ମୁଳ ଇଂରାଜୀ ଲେଖା ସ୍କ୍ରଲ୍ ଡ଼ଟ୍ ଇନ୍ ୱେବ୍ସାଇଟରେ ପ୍ରକାଶିତ ହୋଇଥିଲା I ଆମ୍ ଆଦମୀ ପାର୍ଟି ଓଡ଼ିଶା ଦ୍ୱାରା ପ୍ରକାଶିତ ଆମ କ୍ରାନ୍ତି ପତ୍ରିକା ପାଇଁ ତାର ଏ ଓଡ଼ିଆ ଅନୁକରଣକୁ ପଢି ଓଡ଼ିଆ ଦାଦନ ଶ୍ରମିକଙ୍କ ପ୍ରତି କାରୁଣ୍ୟର ଉଚ୍ଛ୍ୱାସରେ ଯଦି ଆପଣଙ୍କ ଆଖିକଣରେ ଲୁହ ଦିଟୋପା ଜମାଟ ବାନ୍ଧୁଥାଏ ତେବେ ପ୍ରତୁଶୃତି ଦିଅନ୍ତୁ ସେ ଲୁହ ସହିତ ଆଗାମୀ ଦିନରେ ଓଡ଼ିଶା ରାଜନୀତି ପଟଳରୁ ନବୀନଙ୍କ ସହିତ ସ୍ୱାର୍ଥୀ, ଅସମ୍ବେଦନଶୀଳ ସବୁ ନେତାଙ୍କୁ ବି ପୋଛିଦେବେ ଆପଣମାନେ I

 

 

scroll.in ୱେବ୍ସାଇଟରେ ଏମ୍. ରାଜଶେଖରଙ୍କ ଦ୍ୱାରା ଲିଖିତ ରିପୋର୍ଟର ଅନୁକରଣରେ (ଫଟୋ ସୌଜନ୍ୟ: ସ୍କ୍ରଲ୍)