ରାଜନୈତିକ ସମାଲୋଚନା ଉଚିତ୍ ଆଧାରରେ ହେଉ ସିଏ ମୋଦୀ ହୁଅନ୍ତୁ ବା ନବୀନ

ସିଏ ମୋଦୀ ହୁଅନ୍ତୁ କି ନବୀନ ହୁଅନ୍ତୁ, ସମାଲୋଚନା ଉଚିତ୍ ଆଧାରରେ ହେଉ । ଜଣେ ବନ୍ଧୁ ହିସାବ ଦେଇ ଲେଖିଛନ୍ତି ଯେ ଓଡିଶାରେ ଅଧିକାଂଶ ବିପିଏଲ୍ ଶ୍ରେଣୀର ପରିବାର ରହିଥିଲେ ମଧ୍ୟ ନବୀନଙ୍କୁ ନଂ ଓ୍ବାନ୍ ମୁଖ୍ୟମନ୍ତ୍ରୀ କାହିଁକି କୁହାଗଲା । କିଏ ତାଙ୍କୁ ନମ୍ବର ଓ୍ବାନ୍ କହିଲା ଓ କାହିଁକି କହିଲା ସେଇଟା ଅଲଗା କଥା । ନଂ ଓ୍ବାନ୍ ପୁରଷ୍କାର ସବୁଠାରୁ ଧନୀ କିମ୍ବା ସବୁଠାରୁ କମ୍ ଗରିବ ଥିବା ରାଜ୍ୟକୁ ଦିଆଯାଇନାହିଁ । କିନ୍ତୁ ଏକଥା ସ୍ବୀକାର କରିବାକୁ ପଡିବ ଯେ ନବୀନଙ୍କ ଶାସନର ଏକ ନିର୍ଦ୍ଦିଷ୍ଟ ସମୟକାଳ ମଧ୍ୟରେ ସର୍ବାଧିକ ଲୋକ ବିପିଏଲ୍ ସୀମାରେଖା ଉପରକୁ ଉଠିଛନ୍ତି ଏବଂ ଏଥିରେ ସେ ସାରା ଭାରତରେ ନମ୍ବର ଓ୍ବାନ୍ । ଆପଣ ଏହି ହିସାବକୁ ଭ୍ରମାତ୍ମକ କହି ପାରନ୍ତି, ମାତ୍ର ଏହି ହିସାବ ସବୁ ରାଜ୍ୟ ପାଇଁ ସମାନ । ତେଣୁ କେବଳ ଲେଖାଶ୍ରୀ ସାମନ୍ତସିଂହାର ମ୍ୟାଡାମ୍, ଦାମ ରାଉତ ଓ ବୈଜୟନ୍ତ ପଣ୍ଡାଙ୍କ ଭଳି ଗୁଡାଏ ଶବ୍ଦ ପ୍ରଦୁଷଣ କରିଦେଲେ ହେବନାହିଁ । ସତ୍ୟ ହିଁ ସତ୍ୟ ।

ତେବେ — ତେବେ – ତେବେ

ନବୀନଙ୍କୁ ଅନ୍ୟଦିଗରୁ ସମାଲୋଚନା କରାଯାଇ ପାରିବ । ଆପଣ ଚିନ୍ତା କରନ୍ତୁ , କ’ଣ ପାଇଁ କେରଳ, ମହାରାଷ୍ଟ୍ର ଭଳି ଉନ୍ନତ ରାଜ୍ୟ ଯାହା କରି ପାରିଲେ ନାହିଁ ନବୀନବାବୁଙ୍କ ନେତୄତ୍ବରେ ଓଡିଶା କରି ଦେଖାଇପାରିଲା ।

କେଉଁମାନେ ବିପିଏଲ୍ ତାଲିକା ଭୁକ୍ତ ? ଗ୍ରାମାଞ୍ଚଳରେ ଥିବା ଯେଉଁ ପରିବାର ମାସକୁ ୬୯୫ ଟଙ୍କା ଓ ସହରାଞ୍ଚଳରେ ଥିବା ଯେଉଁ ପରିବାର ମାସକୁ ୮୬୧ ଟଙ୍କା ଖର୍ଚ୍ଚ କରିପାରିବାର ସାମର୍ଥ୍ୟ ରଖି ପାରି ନଥିବ ସେହି ପରିବାର ବିପିଏଲ୍ ଭୁକ୍ତ ହେବ । ଅର୍ଥାତ୍ ନବୀନବାବୁ ୨୦୦୪-୦୫ଠାରୁ ୨୦୧୧-୧୨ ମଧ୍ୟରେ ଯେଉଁ ୮୨ ଲକ୍ଷ ଲୋକଙ୍କୁ ବିପିଏଲ୍ ସୀମା ଉପରକୁ ଉଠାଇ ନମ୍ବର ଓ୍ଵାନ୍ ହୋଇଛନ୍ତି ସେମାନଙ୍କ ପରିବାର ଏବେ ସହରାଞ୍ଚଳରେ ନିଜ ଖାଇବା, ପିନ୍ଧିବା ଓ ଅନ୍ୟାନ୍ୟ ବାବଦରେ ମାସକୁ ୯୦୦ ଟଙ୍କା ଖର୍ଚ୍ଚ କରିପାରିବେ ।

ତେବେ ସେ ଯାହା ହେଉ, ଅନ୍ୟାନ୍ୟ ରାଜ୍ୟ କାହିଁକି ପାରିଲେ ନାହିଁ ? ଆଗ୍ୟାଁ ସବୁ ଗଡିଆରେ କ’ଣ ସମାନ ମାଛ ଥାନ୍ତି । ଯେଉଁ ଗଡିଆରେ ବେଶୀ ମାଛ ଥାଆନ୍ତି ସେହି ଗଡିଆକୁ ଗୋଳି କଲେ ବେଶି ମାଛ ଧରା ପଡନ୍ତି ।

ଅନ୍ୟାନ୍ୟ ରାଜ୍ୟ ବାଇଶକ କିମ୍ବା କୋଡିଏକ ପଣିକିଆ ଘୋଷୁଥିଲା ବେଳେ ଆମେ ଏବେ ଦୁଇ ଦୁଗୁଣେ ଚାରି ଘୋଷୁଛୁ । ତେବେ ନବୀନବାବୁଙ୍କ ଭୁଲ ହେଲା ଏହି ଗ୍ରାଣ୍ଡସ୍ଲାମ୍ ଖିତାବର କ୍ରେଡିଟ୍ ସେ ଧର୍ମେନ୍ଦ୍ରବାବୁ , ଦାମବାବୁ ଓ ବୈଜୟନ୍ତବାବୁଙ୍କୁ ମଧ୍ୟ ଦେବା ଉଚିତ୍ । କାରଣ ସେମାନେ ବି ସେ ସମୟରେ ନବୀନବାବୁଙ୍କ ସହ ଦୁଇ ଦୁଗୁଣେ ଚାରି ଘୋଷୁଥିଲେ ।