ଏକଜିଟ ପୋଲ୍ (EXIT POLL)

ଫଳାଫଳ ଘୋଷଣାର ଦିନକ ପୁର୍ବରୁ ଶିଭମ୍ ବିଜ୍ ଗୋଟିଏ ଚମତ୍କାର ଲେଖା ଲେଖିଥିଲେ । ତାହାର ଅନୁବାଦ ମୁଁ ନିମ୍ନରେ ଲେଖୁଛି ।

ଶିରୋନାମା : ନରେନ୍ଦ୍ର ମୋଦୀ ଯଦି ୫୪୨ ରୁ କମ୍ ଆସନରେ ଜିତନ୍ତି ତେବେ ତାହା ତାଙ୍କର ପରାଜୟ ହେବ ।

ଏକଜିଟ୍ ପୋଲ ଦେଉଥିବା ସଂଖ୍ୟା ବିଶ୍ବାସଯୋଗ୍ୟ ନୁହେଁ । ଭାରତୀୟ ଜନତା ପାର୍ଟିର ନେତୄତ୍ବାଧୀନ ନ୍ୟାସନାଲ୍ ଡେମୋକ୍ରାଟିକ୍ ଆଲାୟନ୍ସ ୫୪୨ରୁ କମ ଆସନ ଜିତିବା ପାଇଁ କୌଣସି କାରଣ ମୋତେ ଦେଖା ଯାଉନାହିଁ ।

ମଇ ୨୩ ତାରିଖରେ ଏକଜିଟ୍ ପୋଲ୍ ଭୁଲ ପ୍ରମାଣିତ ହେବ - ଏମିତି ବି ସେଗୁଡାକ ଅତୀତରେ ଅନେକ ଥର ଭୁଲ ପ୍ରମାଣିତ ହୋଇଛି । ୨୦୧୪ରେ ସେମାନେ କହିଥିଲେ ଯେ ଏନ୍.ଡି.ଏ କ୍ଷମତାକୁ ଆସୁଛି କିନ୍ତୁ ବିଜେପି ନିଜେ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ସେମାନେ ଦେଖି ପାରି ନଥିଲେ । ଏଥର ବି ସେଇଆ ହୋଇପାରେ ।

ବିଭିନ୍ନ ଏକଜିଟ୍ ପୋଲ ମୋଟାମୋଟି ଭାବରେ ଏନ୍.ଡି.ଏକୁ ୨୭୭ରୁ ୩୫୦ ପର୍ଯ୍ୟନ୍ତ ଆସନ ଦେଉଛନ୍ତି । ଏକୁଟିଆ ବିଜେପି ପାଇଁ ସେମାନେ ୨୨୭ରୁ ୨୯୧ଟି ଆସନର ଆକଳନ କରିଛନ୍ତି । କେବଳ ଦୁଇଟି ଏକଜିଟ୍ ପୋଲରେ ବିଜେପି ୨୦୧୪ର ସଂଖ୍ୟା ୨୮୨ଟି ଆସନରୁ ଏଥର ଅଧିକ ଆସିବ ବୋଲି କୁହାଯାଇଛି ।

କିନ୍ତୁ ଏଥର ବିଜେପି ଓ ତାହାର ସହଯୋଗୀ ଦଳମାନେ କାହିଁକି ଗୋଟିଏ ବି ଆସନ ହରେଇବେ ? ଏପର୍ଯ୍ୟନ୍ତ ଯାହା ସବୁ ହୋଇ ଆସିଛି ସେ ଦୄଷ୍ଟିରୁ କୁହାଯାଇ ପାରିବ ଯେ ବିଜେପି ଏଥର ଭାରତରେ ପ୍ରତ୍ୟେକଟି ଆସନରେ ଜିତିବ ।

କଂଗ୍ରେସ ପାର୍ଟି ଆଗରୁ ଘୋଷଣା କରି ସାରିଛି ଯେ ସେମାନେ କେବଳ ସେମାନଙ୍କର ୨୦୧୪ ସଂଖ୍ୟାକୁ ତିନିଗୁଣ କରିବାକୁ ଚେଷ୍ଟା କରୁଛନ୍ତି , ୪୪ରୁ ୧୩୨କୁ, ଯାହା ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ୨୭୨ ସଂଖ୍ୟାର ଅର୍ଦ୍ଧେକ ବି ନୁହେଁ । ପାର୍ଟିର ଡାଟା ଆନାଲିଷ୍ଟ ପ୍ରବୀଣ ଚକ୍ରବର୍ତ୍ତୀ ଏହା କହିଛନ୍ତି, ତା'ପରେ ମଧ୍ୟପ୍ରଦେଶର ମୂଖ୍ୟମନ୍ତ୍ରୀ କମଲନାଥ ମଧ୍ୟ ତାହା ଦୋହରାଇଛନ୍ତି । ଯଦି ବିଜେପିର ମୁଖ୍ୟ ପ୍ରତିଦ୍ବନ୍ଦୀ ପ୍ରକାଶ୍ୟରେ କୁହେ ଯେ ଏକ ମିଳିତ ସରକାର ଗଠନ ପାଇଁ ଯେତିକି ସଂଖ୍ୟା ହାସଲ କରିବା ଆବଶ୍ୟକ ସେତିକି ବି ସେମାନେ ଜିତିବାକୁ ଉଦ୍ୟମ କରୁନାହାନ୍ତି, କାହିଁକି ତାହେଲେ ବିଜେପି ଓ ତାହାର ସହଯୋଗୀ ଦଳମାନେ ଗୋଟିଏ ବି ଆସନ ହରାଇବେ ?

ନରେନ୍ଦ୍ର ମୋଦୀଙ୍କୁ ସବୁଠାରୁ ଦୁର୍ବଳ ବିପକ୍ଷ ଉପହାର ସ୍ବରୁପ ଭେଟି ଦିଆଗଲା । ଏପରିକି ସେମାନେ ଯେତେବେଳେ ଦେଖୁଛନ୍ତି ଯେ ସେମାନେ ସଫା ହେବାକୁ ଯାଉଛନ୍ତି ସେତେବେଳେ ବି ସେମାନେ ଏକାଠି ହେଲେ ନାହିଁ କି ଗଠବନ୍ଧନ ତିଆରି କଲେ ନାହିଁ । ସେମାନଙ୍କ ପାଖରେ ଗୋଟିଏ ବି ପ୍ରତିଶୄତି ନଥିଲା ଯାହାକୁ ଲୋକେ ବିଶ୍ବାସ କରି ଭୋଟ ଦେବେ । ସମସ୍ତେ ଜାଣିଥିଲେ ବେକାରି ହେଉଛି ବର୍ତ୍ତମାନ ବଡ ସମସ୍ୟା । କିନ୍ତୁ ସେମାନେ ତାହାକୁ ପ୍ରସଙ୍ଗ କରି ପ୍ରଚାର କଲେନାହିଁ । ସବୁଠାରୁ ଖରାପ ହେଲା, ବିପକ୍ଷ ପାଖରେ ଏମିତି ଜଣେ ନେତା ନଥିଲା ଯିଏ ପ୍ରଧାନମନ୍ତ୍ରୀ ଭଳି ଦେଖାଯାଉଥିବ , ଯାହାକୁ ଲୋକମାନେ ନିଜର ପ୍ରଧାନମନ୍ତ୍ରୀ ଭାବେ ଗ୍ରହଣ କରିପାରିବେ ।

ଏପରିକି, ବିରୋଧୀ ଦଳମାନେ ଏହି ନିର୍ବାଚନ ଜିତିବାକୁ ବି ଚେଷ୍ଟା କଲେ ନାହିଁ । ୨୦୧୪ରେ ଅତି କମରେ ଆମ୍ ଆଦମୀ ଅରବିନ୍ଦ କେଜରିଓ୍ବାଲ ବାରାଣସୀରୁ ନିର୍ବାଚନ ଲଢିଥିଲେ । ଏଥର ବିରୋଧୀଦଳ ମାନେ ବାରାଣସୀରେ ଜଣେ ତାରକା ପ୍ରାର୍ଥୀ ଦେଇ ପାରିଲେ ନାହିଁ । ସେଥିପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପରେ ମୋଦୀ ଥରୁଟିଏ ବି ବାରାଣସୀକୁ ଯିବା ଦରକାର ପଡିଲା ନାହିଁ । ପ୍ରୀୟଙ୍କା ଗାନ୍ଧୀ ଯେତେବେଳେ ସେଠାରୁ ଠିଆ ହେବା ପାଇଁ ବିଚାର କରୁଛନ୍ତି ବୋଲି କହିଲେ, କଂଗ୍ରେସ ସେତେବେଳେ ବି ସେଠାରେ ଲଢି ସଫଳ ହେବ ବୋଲି ଆଶା ଛାଡି ଦେଇଥିଲା । ସମାଜବାଦୀ ପାର୍ଟି ସେଠାରେ ତାହାର ସ୍ଥାନୀୟ ଅଧା ତାକତ ଥିବା ପ୍ରାର୍ଥୀ ଠିଆ କଲା ନାହିଁ । ବାରାଣସୀରେ ବିରୋଧୀ ଦଳମାନେ ଯେପରି ମୋଦୀଙ୍କୁ ଏକ ଓ୍ବାକଓଭର ଦେଲେ ତାହା ସେମାନେ ତାଙ୍କୁ ସାରା ଭାରତରେ ଦେଇଥିବା ଓ୍ବାକଓଭରର ପ୍ରତୀକ ଥିଲା ।

ବଡ ଆଶ୍ଚର୍ଯ୍ୟର କଥା, ମୋଦୀଙ୍କ ପାଇଁ ସବୁଠାରୁ ବଡ ଆଶାବାଦୀ ଏକଜିଟ୍ ପୋଲ୍ (ଆକ୍ସିସ୍ ମାଇ ଇଣ୍ଡିଆ) କହୁଛି ଯେ ଏନ୍.ଡି.ଏ ୫୪୨ଟି ଆସନରୁ ୧୭୭ଟି ଆସନ ହରାଇବ । ସେହି ୧୭୭ଟି ନିର୍ବାଚନମଣ୍ଡଳୀରେ ଲୋକେ କାହିଁକି ଏମିତି ଭୁଲ କରିବାକୁ ଯିବେ ? ସେମାନେ କାହିଁକି ରାହୁଳ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହିଁବେ ? କିମ୍ବା ସେମାନେ କ'ଣ ଏକ ଅସ୍ଥିର ଗଠବନ୍ଧନ ସରକାର ଚାହିଁବେ ଯାହା ଦେଶକୁ ଦୁର୍ବଳ କରିବ ? ସେମାନେ କ'ଣ ଏକ ଦୁର୍ବଳ ସରକାର ଚାହିଁବେ ଯିଏ ନୋଟବନ୍ଦୀ ଭଳି ଏକ ଦୄଢ ନିଷ୍ପତି ନେଇ ପାରୁ ନଥିବ, ଯେଉଁଥିରେ ଗୋଟିଏ ଝୁଙ୍କରେ ୮୬% ମୁଦ୍ରା ରାତାରାତି ଅଚଳ ହୋଇ ପାରୁଥିବ ?

ବିରୋଧୀଦଳଙ୍କୁ ସମର୍ଥନ କରି ଗୋଟିଏ କଥା କୁହାଯାଇ ପାରେ, କେତେକ କୁହନ୍ତି ଯେ ଏଥିରେ ସେମାନଙ୍କର ଦୋଷ ନଥିଲା । ପ୍ରୋପାଗଣ୍ଡା କରିବାରେ ମୋଦୀ ଜଣେ ମାଷ୍ଟର । ମୁଁ ଏଥିରେ ଏକମତ । ଟିଭିର ସୁଇଚ୍ ଅନ୍ କରିବାମାତ୍ରେ ଆପଣ କେବଳ ନାମୋ ଦେଖିଲେ । ଯେତେବେଳେ ନିଉଜ୍ ଚାନେଲ୍ ଆଡ୍ ଦେଖାଇଲା ସେତେବେଳେ ଆପଣଙ୍କ ପାଇଁ ନାମୋ ଚାନେଲ୍ ଅଛି ଯାହା ଆପଣ ଦେଖିପାରିବେ । ହ୍ବାଟସପ୍ ହେଉ, ସମ୍ବାଦପତ୍ର ହେଉ, ଅନ୍ୟ ମିଡିଆ ହେଉ, କିମ୍ବା ଟ୍ରେନ୍ ଟିକେଟ ହେଉ, ସବୁଠାରେ ମୋଦୀ ଆଉ ମୋଦୀ ।

ନରେନ୍ଦ୍ର ଦାମୋଦରଦାସ ମୋଦୀଙ୍କ ମୁଖ ଦେଖାଇ ଯେପରି ଭାରତୀୟ ମନ ଉପରେ ସମ୍ପୁର୍ଣ ବୋମାମାଡ କରାଗଲା, ତଦ୍ବାରା ଲୋକମାନେ ଭାବିଲେ ମୋଦୀଙ୍କ ବ୍ୟତୀତ ଆଉ କେହି ନାହିଁ । ୧୩୦ କୋଟୀ ଜନସଂଖ୍ୟା ଭିତରୁ ଅଉର୍ ହୈ କୌନ୍ ? ମୋଦୀ ପ୍ରଧାନମନ୍ତ୍ରୀ ହେବା ପୁର୍ବରୁ ସଡକ କ'ଣ ତିଆରି ହେଉଥିଲା ? ଟ୍ରେନ୍ କ'ଣ ଚାଲୁଥିଲା ? ଯୁଦ୍ଧ କ'ଣ ଲଢା ଯାଉଥିଲା ? କିଏ ଜାଣେ ? ଏହିଭଳି ଭାବେ ଚିନ୍ତା କରିବା ପାଇଁ ମୋଦୀ ପ୍ରୋପାଗଣ୍ଡା ଲୋକଙ୍କୁ ବାଧ୍ୟ କଲା । ଏପରି ସ୍ଥଳେ ମୋଦୀ କାହିଁକି ଗୋଟିଏ ବି ଆସନରେ ହାରିବେ ?

ଯେଉଁ ୧୭୭ଟି ଆସନରେ ଏନ୍.ଡି.ଏ ହାରିବ ବୋଲି ଆକ୍ସିସ୍-ମାଇ-ଇଣ୍ଡିଆ ପୁର୍ବାନୁମାନ କରିଛି, ସେଠାରେ କ'ଣ ବିରୋଧୀ ଦଳମାନଙ୍କ ପାଖରେ ମୋଦୀଙ୍କଠାରୁ ବେଶି ଟଙ୍କା ଥିଲା ? ଯେତେହେଲେ ବି ପାଖରେ ଟଙ୍କା ରଖିବାରେ ମୋଦୀ ବିପକ୍ଷଙ୍କ ଠାରୁ ବହୁଗୁଣ ଅଧିକ ପଇସାଓ୍ବାଲା । ଅସ୍ବସ୍ଥ ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ଆସୁଥିବା ଅଧିକାଂଶ ଟଙ୍କା ବିଜେପି ପାଖକୁ ଗଲା । ଏପରିକି ଇଲେକ୍ଟୋରାଲ ବଣ୍ଡ ଆସିବା ପୁର୍ବରୁ ବି ବିଜେପି ପାଖରେ ଅସରନ୍ତି ସିନ୍ଦୁକ ଥିଲା । ୟେଦୁରପ୍ପା ଡାଏରିରେ କିଛି ସତ୍ୟତା ଥିଲା ଓ ବିଜେପି ପ୍ରଚାରରେ କଳାଟଙ୍କା ପାଣି ଭଳି ବୋହୁଥିଲା - ଏକଥା ମୁଁ ଏବେ କହୁନାହିଁ । ଇତିମଧ୍ୟରେ ନିର୍ବାଚନ ପୁର୍ବରୁ ବିପକ୍ଷ ଉପରେ ଆୟକର ଚଢଉ ହେଲା ଏବଂ ଯାହା କିଛି ଖୁଚୁରା ସେମାନଙ୍କ ପାଖରେ ଥିଲା ତାହା ନେଇ ନିଆଗଲା । ଏହା ଭାବିବା ଅମୁଳକ ହେବ ଯେ ଆର୍ଥିକ ଭାବେ ଏତେ ଦୁର୍ବଳ ଥିବା ବିରୋଧୀ ଦଳମାନେ ଗୋଟିଏ ବି ଆସନରେ ଜିତିଯିବେ ।

ନିର୍ବାଚନ କମିଶନ ଖୋଲାଖୋଲି ଭାବରେ ଏତେ ଦଳଗତ ପକ୍ଷପାତ ହେଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଗିଦ ନ କରି ଏତେ ଡରିଲେ ଯେ, ମନେ ହେଲା ଯେମିତି ଦୁଇ ପ୍ରକାର ଆଦର୍ଶ ଆଚରଣ ବିଧୀ ରହିଛି - ଗୋଟିଏ ବିଜେପିର ଶୀର୍ଷ ନେତାଙ୍କ ପାଇଁ ଓ ଅନ୍ୟଟି ଦେଶର ଅନ୍ୟ ସମସ୍ତ ନେତାମାନଙ୍କ ପାଇଁ । ନିର୍ବାଚନ କମିଶନ ତାଙ୍କ ପ୍ରତି ଏତେ ଦୟାଳୁ ହେବାର ଦେଖି ମୋଦୀ ଭାବିଲେ ସେ ଏଣିକି ସେ ଯାହା ଇଛା ତାହା କରି ପାର ପାଇଯିବେ । ସେ ସେଇଆ କଲେ । ସେଇଥିପାଇଁ ମୁଁ କହୁଛି କାହିଁକି ମୋଦୀ ୫୪୨ଟି ଯାକ ଆସନ ନ ଜିତିବେ ? ଆପଣ ଠକିବା ବେଳେ ଆମ୍ପାୟାର୍ ଯଦି ଅନ୍ୟ ଆଡକୁ ଦେଖିବ, ସେତେବେଲେ ଆପଣଙ୍କ ଦଳର ଗୋଟିଏ ବି ଉଇକେଟ୍ କାହିଁକି ପଡିବ ?

କିଛି ଲୋକ ମୋଦୀଙ୍କୁ ସନ୍ଦେହ ଦୄଷ୍ଟିରେ ଦେଖି ପାରନ୍ତି । ସନ୍ଦେହ କରିବା ମଣିଷର ପ୍ରକୄତି । ସେମାନେ ଭାବି ପାରନ୍ତି ଯେ ସତରେ କ'ଣ ନରେନ୍ଦ୍ର ମୋଦୀ ସବୁଠାରୁ ଭଲ ସଉଦା । ନା ଆଉ କେଉଁ ନେତା କଥା ଚିନ୍ତା କରିବା, ଯଦି ଆଉ କେହି ଥାଏ ? ଏମିତି ହୋଇପାରେ କି ରାହୁଳ ଗାନ୍ଧୀ ସେତେ ଖରାପ ନୂହେଁ ? ଠିକ୍ ସେତିକି ବେଳକୁ ବିପକ୍ଷ ନିଜର ଜଡ ବୁଦ୍ଧି ଦେଖାଇଥାଏ, ଯେମିତି କି, ଠିକ୍ ଯେତିକିବେଳେ ଲୋକେ ମୋଦୀଙ୍କୁ ସନ୍ଦେହ କରିବାକୁ ଆରମ୍ଭ କରନ୍ତି, ସେତିକିବେଳେ ଛୁଟୀ କାଟିବାକୁ ରାହୁଳ ଗାନ୍ଧୀ ଇଉରୋପ ପଳାନ୍ତି । ଆଉ ପୁଣି ଯେତେବେଳେ କେତେକ ମୋଦୀଙ୍କ ସମର୍ଥକମାନଙ୍କ ମନରେ ତାଙ୍କ ପ୍ରତି ସନ୍ଦେହ ଆସିବା ଆରମ୍ଭ ହୋଇଯାଏ, ସେତେବେଳେ ଫେକ୍ ନିଉଜ ଦିଅ । ସେମାନଙ୍କୁ ଭରପୁର ଗପ ଶୁଣାଅ, ଯେମିତି ରାହୁଳ ଗାନ୍ଧି କୁଆଡେ କହିଥିଲେ ଆଳୁରୁ ସୁନା ବାହାରେ । ସେମାନଙ୍କୁ ଗପ ଶୁଣାଅ, ସେମାନେ ଭାବିବେ ନୋଟବନ୍ଦୀ ଏକ ବହୁତ ବଡ ସଫଳତା ।

ସେଇଥିପାଇଁ ମୁଁ ପଚାରୁଛି, କାହିଁକି ବିଜେପି ଗୋଟିଏ ବି ଆସନ ହରାଇବ । ଏକଜିଟ ପୋଲ ନିଶ୍ଚିତଭାବେ ନିଜକୁ ନିରାପଦ ରଖିବା ପାଇଁ ଏମିତି କହୁଛି ।

ଏଇଟା ମଣିଷର ପ୍ରକୄତି ଯେ ସିଏ କିଛି ଲୋକଙ୍କୁ ନିଜର ଭାବେ ଓ ଆଉ କିଛି ଲୋକଙ୍କୁ ଶତ୍ରୁ ଭାବେ । ବିଜେପି ସବୁବେଳେ ଏହାର ଫାଇଦା ଉଠାଇ ଆସିଛି । ଯେତେବେଳେ ଅମିତ ଶାହ ସାରା ଭାରତରେ ଏନ୍.ଆର୍.ସି ଲାଗୁ କରିବା ପାଇଁ ଧମକ ଦେଲେ, ସେ ଲୋକଙ୍କ ମନରେ ଏକ ଭୟର ବାତାବରଣ ଉଦ୍ରେକ କଲେ, ଯେମିତି ସେ କୋଟି କୋଟି ମୁସଲମାନଙ୍କୁ ଭାରତରୁ ତଡିଦେବେ । ସେ ଲୋକଙ୍କୁ ମୁସଲମାନଙ୍କୁ ଶତ୍ରୁ ଭାବେ ଦେଖିବାକୁ ବାଧ୍ୟ କଲେ, ଲୋକେ ଜାତି,ଅର୍ଥନୀତି, ଆଞ୍ଚଳିକ ଦାବୀ ଓ ଆଣ୍ଟି ଇନକମ୍ବାସି କଥା ଭୁଲିଗଲେ । ଏ ଦୄଷ୍ଟିରୁ ଏକଜିଟ ପୋଲଗୁଡିକ ସତ ପ୍ରକାଶ କରିବାରେ ସଙ୍କୋଚ ଅନୁଭବ କରିଛନ୍ତି ବୋଲି କୁହାଯିବ । ଯେଉଁ ଦେଶରେ ୭୯% ହିନ୍ଦୁ ରୁହନ୍ତି, ସେଠାରେ ବିଜେପି ଗୋଟିଏ ବି ସିଟ୍ କାହିଁକି ହାରିବ ? ଯେତେବେଳେ ହିନ୍ଦୁତ୍ବ ସଂଖ୍ୟାଗରିଷ୍ଡତାବାଦ ଏତେ ପ୍ରମୁଖତା ହାସଲ କଲା ଯେ ଜଣେ ଗଡସେକୁ ଭଲ ପାଉଥିବା ଓ ଆତଙ୍କବାଦରେ ଅଭିଯୁକ୍ତାକୁ ଟିକେଟ ଦିଆଯାଇ ପାରିଲା, ସେତେବେଳେ ଆପଣ କାହିଁକି ଭାବୁଛନ୍ତି ଯେ କୌଣସି ହିନ୍ଦୁ ବିଜେପିକୁ ଭୋଟ ନ ଦେବ ?

ଏ ଏକଜିଟ୍ ପୋଲକୁ ବିଶ୍ବାସ କରାଯାଇ ପାରେନା । ନରେନ୍ଦ୍ର ମୋଦୀଙ୍କ ନେତୄତ୍ବାଧୀନ ଏନ୍.ଡି.ଏ ୫୪୨ରୁ ୫୪୨ଟି ଆସନରେ ଜିତିବ । ଏହା ଭାରତ ଇତିହାସରେ ପ୍ରଥମଥର ପାଇଁ ହେବ । ୫୪୨ରୁ ଗୋଟିଏ ବି ସିଟ୍ କମିଲେ ତାହାକୁ ମୋଦୀଙ୍କ ପରାଜୟ ବୋଲି ମନେ କରାଯିବା ଉଚିତ୍ ।