ଚାଲ ହିନ୍ଦୁ ଖୋଜିବା - ୩

 

ସରମାର ଏ ଅବସ୍ଥା କେମିତି ହେଲା ?

ନାଇଁ ମ । ସରମାର ଆଗରୁ ଏମିତି ଅବସ୍ଥା ନଥିଲା । ବ୍ରହ୍ମଣ ରଚନାକାଳରେ ଯାଇ ସରମାର ପ୍ରେଷ୍ଟିଜ୍ ଡାଉନ୍ ହେବାକୁ ଲାଗିଲା । ସରମା ହେଉଛି ଏକ କୁତୀ ।

ତେବେ ମୁଁ ଗୋଟିଏ କୁତୀ ପାଇଁ ଏତେ ସମୟ କାହିଁକି ବରବାଦ କରୁଛି ? କୁତା କୁତୀଙ୍କର ପୁଣି କ'ଣ ଗୋଟିଏ ପ୍ରେଷ୍ଟିଜ୍ ? ଆମେ କୁକୁରକୁ କ'ଣ ସମ୍ମାନ ଦେବା ? ସେମାନଙ୍କୁ ସମ୍ମାନ ଦିଆଯାଉ ବୋଲି କୋଉଠି ଲେଖା ଯାଇଛି ?

ତେବେ ହିନ୍ଦୁ ଧର୍ମର ବିବର୍ତନ ମଧ୍ୟରେ ସମାଜର କୁକୁରଙ୍କ ପ୍ରତି ଥିବା ଆଭିମୁଖ୍ୟ ମଧ୍ୟ ବଦଳିଛି । ହିନ୍ଦୁ ଧର୍ମ ଗୋଟିଏ ସ୍ଥିତିଶୀଳ ଧର୍ମ ନୁହେଁ, ଯେମିତି ଆଜିକାଲି ପ୍ରଚାର ଚାଲିଛି । ହିନ୍ଦୁ ଇତିହାସ କହିଲେ କେବଳ ଶିବାଜୀ ଓ ରାଣା ପ୍ରତାପଙ୍କ ଶାସନକାଳର ଇତିହାସ ନୁହେଁ କିମ୍ବା କେଉଁ ଗୋଟିଏ ଇତିହାସ ନୁହେଁ ଯେଉଁଠାରେ ବସୁଧୈବ କୁଟୁମ୍ବକମ୍ ବୋଲି ଲେଖା ଯାଇଛି । ଏକଥା ଅଲଗା ଯେ ଯେଉଁମାନେ ଏକ ଧକ୍କା ଔର ଦୋ କୁହନ୍ତି ସେମାନେ ବୌଦ୍ଧିକ ଚାଲେଞ୍ଜର ସମ୍ମୁଖୀନ ହେବା ବେଳେ ଏହି ବସୁଧୈବ କୁଟୁମ୍ବକମ୍ କଥା କହି ପକାନ୍ତି ।

ତେବେ ଆମେ କୋଉଠି ଥିଲେ ଟି ?

ହଁ, କୁକୁରଙ୍କ କଥା ଆରମ୍ଭ କରିଥିଲେ ପରା ।

ହିନ୍ଦୁ ଶାସ୍ତ୍ର ବ୍ରହ୍ମଣ ରଚନା କାଳରେ ଯଜ୍ଞ ଚାଲିଥିବା ବେଳେ ଅଶୁଭ ଶକ୍ତିମାନଙ୍କୁ ସେଠାରୁ ଦୁରେଇ ରଖିବା ପାଇଁ କୁକୁରମାନଙ୍କୁ ପ୍ରତୀକାତ୍ମକ ଭାବେ ବ୍ୟବହାର କରା ଯାଉଥିଲା । ସେ ସମୟରେ କେଉଁଟା ଶୁଦ୍ଧ ଓ କେଉଁଟା ଅଶୁଦ୍ଧ ସେ ବିଷୟରେ ଗୋଟିଏ ଚିନ୍ତା ଗ୍ରାସିବା ଆରମ୍ଭ ହୋଇ ଯାଇଥିଲା । ଯେହେତୁ କୁକୁର ଗୋଟିଏ ବାହାରିଆ ପଶୁ ଏବଂ ଏହା ଅଶୁଦ୍ଧ ଓ ଆମିଷ ଖାଏ ତେଣୁ ଏହାକୁ ଅଶୁଦ୍ଧ ଅବା ଅଶୁଭ ମନେ କରାଗଲା । ଏହା ଘୋଡାଠାରୁ ଭିନ୍ନ ଥିଲା ଯିଏ ଏକ ସମ୍ଭ୍ରାନ୍ତ ପଶୁଥିଲା ଏବଂ ଯିଏ ନିରାମିଷ ଖାଏ । କୁକୁରର ସାମାଜିକ ଗ୍ରହଣୀୟତାରେ ଏପରି ପରିବର୍ତ୍ତନର ଅନ୍ୟ ଏକ କାରଣ ଥିଲା ଯେ ଏହି ସମୟରେ ଇନ୍ଦ୍ର, ଯମ ଓ ରୁଦ୍ରଙ୍କ ଭଳି ବୈଦିକ ଦେବତାମାନଙ୍କର କାଟତି ବହୁତ କମି ଯାଇଥିଲା । ଏହି ଦେବତାମାନଙ୍କର କୁକୁର ସହ ଭିନ୍ନ ପ୍ରକାର ସମ୍ପର୍କ ଥିଲା । ସେ ବିଷୟରେ କିନ୍ତୁ ଟିକିଏ ପରେ ଲେଖିବି । ପ୍ରଥମେ ବ୍ରହ୍ମଣ ରଚନା କାଳରେ କୁକୁରମାନଙ୍କ ସାମାଜିକ ଓ ଧର୍ମୀୟ ଗ୍ରହଣୀୟତା କ'ଣ ଥିଲା ସେ ବିଷୟରେ ଲେଖୁଛି ।

ଯଜ୍ଞର ଆରମ୍ଭରେ ଗୋଟିଏ ଘୋଡାକୁ ପାଣିରେ ଠିଆ କରି ଦିଆଯାଉଥିଲା । ରାଜା ଓ ରାଣୀଙ୍କର ସମ୍ବନ୍ଧିମାନେ ଗୋଟିଏ ଚାରି ଆଖିଆ କୁକୁରକୁ ଆଣି ଘୋଡା ସମ୍ମୂଖରେ ରଖୁଥିଲେ । ଆଖିର ଚାରିପଟେ ଥିବା ଗୋଲାକାର ପତା ଯୋଗୁଁ ବୋଧହୁଏ ବ୍ରହ୍ମଣ ରଚନାରେ ତାକୁ ଚାରିଆଖିଆ ବୋଲି କୁହା ଯାଇଛି । ସେତିକିବେଳେ ଗୋଟିଏ ବାରାଙ୍ଗନାର ସନ୍ତାନ ଆସି ଗୋଟିଏ କାଷ୍ଠ ଦଣ୍ଡରେ ପିଟି ପିଟି କୁକୁରକୁ ମାରି ଦେଉଥିଲା । ମାରିଲାବେଳେ ସେ ଗୁଣୁଗୁଣୁ ହୋଇ କିଛି କହୁଥିଲା ଯାହାର ଅର୍ଥ ହେଲା 'ଅଶୁଭ ଶକ୍ତି ପଳା, ଏହି କୁକୁର ସହିତ ପଳା' । ବ୍ରହ୍ମଣରେ ଲେଖାଯାଇଛି ଯେ ଅଶ୍ବମେଧ ଯଜ୍ଞ ଚାଲିଥିବା ବେଳେ ଅଶୁଭ ଶକ୍ତି କର୍ତ୍ତାକୁ ଜାବୁଡି ଧରିବାକୁ ଚେଷ୍ଟା କରେ । କୁକୁର ହେଉଛି ଅଶୁଭ ଓ ମଣିଷର ଶତ୍ରୁ । ତେଣୁ ପାଣିରେ ଠିଆ ହୋଇ ଥିବା ଘୋଡା ତା'ର ଧାତୁ ଲଗା ଟାପୁରେ କୁକୁରକୁ ଦଳି ଦିଏ । ଘୋଡା ତାହାର ଡାହାଣ ଖୁରା ମୄତ କୁକୁରର ଶରୀର ଉପରେ ରଖିଥିବା ବେଳେ ଏକ ମନ୍ତ୍ର ପାଠ କରାଯାଏ, ଯଦ୍ବାରା ଅଶୁଭ ଶକ୍ତି ଓ କୁକୁର ଘୋଡାର ଆଉ କୌଣସି ଅନିଷ୍ଟ କରିପାରିବେ ନାହିଁ ।

ଏଠାରେ କୁକୁରକୁ ଏକ ଅସ୍ବସ୍ଥ ମହିଳା (ଯେଉଁ ବାରାଙ୍ଗନାର ସନ୍ତାନ ମାରିଦେଲା ) ଓ ଖୁରା ସହିତ ସଂଶ୍ଳିଷ୍ଟ କରାଯିବା ସଙ୍ଗେ ସଙ୍ଗେ ବ୍ରହ୍ମଣ ରଚନାରେ ଖୋଲାଖୋଲି ଭାବେ କୁହା ଯାଇଛି ଯେ କୁକୁର ହେଉଛି ଏକ ଅଶୁଦ୍ଧ ଓ ଅଶୁଭ ପ୍ରାଣୀ । ସିଏ ବି ହେଉଛି ମଣିଷର ଶତ୍ରୁ ।

ମାତ୍ର ଆଗରୁ ରଚନା ହୋଇଥିବା ୠଗବେଦ ଓ ବ୍ରହ୍ମଣ ରଚନା କାଳ ମଧ୍ୟରେ କୁକୁର ଉପରେ ଲାଗିଥିବା ମୋହରରେ ଅନେକ ପରିବର୍ତନ ଆସିଛି ।

ଏଠାରେ ମୁଁ ଗୋଟିଏ କଥା ପରିଷ୍କାର କରିଦେଉଛି । ଖ୍ରୀଷ୍ଟପୁର୍ବ ୧୭୦୦ରୁ ୧୫୦୦ ମଧ୍ୟରେ ୠଗବେଦ ରଚନା ହୋଇଥିଲା । ପ୍ରଥମେ ଏହା ଆଠଟି ବହି ଥିଲା । ପରେ ଏଥିରେ ପ୍ରଥମ ଓ ଦଶମ ବହି ଯୋଡା ଯାଇ ଦଶଟି ବହି କରାଗଲା । ଏହାର ବହୁ ପରେ ବା ଖ୍ରୀଷ୍ଟପୂର୍ବ ୧୨୦୦ରୁ ୯୦୦ ମଧ୍ୟରେ ବିଭିନ୍ନ ବ୍ରହ୍ମଣ ରଚନା ପ୍ରକାଶ ପାଇଲା । ବ୍ରହ୍ମଣରେ ୠଗବେଦର କେବଳ ବ୍ୟାଖ୍ୟା ପ୍ରକାଶ କରାଯାଇଛି ।

ପ୍ରଥମରୁ ରଚନା କରାଯାଇଥିବା ୨ନଂରୁ ୯ ନଂ ପର୍ଯ୍ୟନ୍ତ ୠଗବେଦ ବହି, ପରବର୍ତ୍ତୀକାଳରେ ଯୋଡା ଯାଇଥିବା ୧ ନଂ ଓ ୧୦ ନଂ ୠଗବେଦ ଓ ତାହାର ବହୁ ପରେ ରଚନା କରାଯାଇଥିବା ବ୍ରହ୍ମଣରେ ବ୍ୟବହୄତ ସଂସ୍କୁତ ଭାଷାରେ ଅନେକ ଫରକ ଅଛି ।

ପରିବର୍ତିତ ସମୟ, ସାମାଜିକ ଚାଲେଞ୍ଜ, ବୈଦିକ ଲୋକମାନଙ୍କର ଭୌଗଳିକ ବିସ୍ତାର ଓ ଆର୍ଥିକ ପରିସ୍ଥିତି ଅନୁସାରେ ହିଁ ବ୍ରହ୍ମଣରେ ପୁରାତନ ୠଗବେଦର ବ୍ୟାଖ୍ୟା କରାଯାଇଛି । ସେଥି ସହିତ ଅନେକ ନୂଆ ଧାରଣା, ଲୋକକଥା ଓ ଅଣବେଦ ସ୍ରୋତରୁ ଆସିଥିବା କଥା ମଧ୍ୟ ବ୍ରହ୍ମଣରେ ସ୍ଥାନ ଦିଆଯାଇଛି । ୠଗବେଦରେ ଯେଉଁ କଥା ଅଧାରୁ ଛାଡି ହୋଇଗଲା ଭଳି ମନେହେଲା କିମ୍ବା ଏହା ଯେତେବେଳେ କୌଣସି ପ୍ରଶ୍ନରେ ନିରୁତ୍ତର ରହିବା ଭଳି ମନେ ହେଲା, ସେତେବେଳେ ବ୍ରହ୍ମଣ ବିଭିନ୍ନ ସୁତ୍ରରୁ ଆଣି ସେହି ଶୁନ୍ୟ ସ୍ଥାନ ପୁରଣ କରିଛି । ସଂସ୍କୁତ ବ୍ୟତୀତ ଅନ୍ୟ ଭାଷାର କଥା ଓ ଗଳ୍ପ ମଧ୍ୟ ବେଳେ ବେଳେ ସୀଧାସଳଖ ଓ ଅନ୍ୟ କେତେବେଳେ ନୂଆ ଅର୍ଥ ସହିତ ବ୍ରହ୍ମଣରେ ପୁରା ଯାଇଛି ।

ୠଗବେଦ ଅନୁସାରେ 'ପାନି' ନାମକ ଏକ ଆଦିବାସୀ ସଂପ୍ରଦାୟର ଲୋକ ଥିଲେ । ସେମାନେ ବୈଦିକ ଲୋକମାନଙ୍କର ଶତ୍ରୁ ଥିଲେ । ସେମାନେ ଥରେ ଜଣେ ୠଷିଙ୍କର ଗାଈଗୋଠ ଚୋରେଇ ନେଇ ଏକ ପାହାଡ ଗୁମ୍ଫାରେ ଲୁଚେଇ ରଖିଲେ । ଇନ୍ଦ୍ର ସରମା କୁତୀକୁ ଗାଈ ଖୋଜିବାକୁ ପଠେଇଲେ । ସରମା ଗାଈମାନଙ୍କର ଭୁମିରେ ପଡିଥିବା ଖୁରା ଚିହ୍ନକୁ ଅନୁସରଣ କରି କରି ଗୁମ୍ଫା ନିକଟରେ ପହଞ୍ଚିଲା । ସେଠାରେ ତାହାର 'ପାନି'ମାନଙ୍କ ସହ ବହୁ ଅଶ୍ରାବ୍ୟ ବଚସା ହେଲା । ସେମାନେ ସରମାକୁ ବହୁତ ଧମକ ଦେଲେ । ମାତ୍ର ସରମା ଡରିଯିବା ଭଳି କୁତୀ ନଥିଲା । ଶେଷରେ ସେମାନେ ସରମାକୁ ବହୁ ପ୍ରଲୋଭନ ଦେଖାଇଥିଲେ । ମାତ୍ର ସରମା ସେଥିରେ ପ୍ରଭାବିତ ହେବା ଭଳି କୁତୀ ନଥିଲା । ୠଗବେଦରେ ସରମା କୁତୀର ପ୍ରେଷ୍ଟିଜ୍ କେତେ ଥିଲା ଆପଣ ଅନୁମାନ କରିପାରୁଛନ୍ତି ତ ? ତେବେ ସେ ଯାହା ହେଉ , ସରମା ଶେଷରେ ଗାଈ ଗୋଠ ଧରି ଫେରିଥିଲା ।

ୠଗବେଦରେ କୁହା ଯାଇଛି ଯେ ସମସ୍ତ କୁକୁର ହେଉଛନ୍ତି ଇନ୍ଦ୍ରଙ୍କର ପ୍ରୀୟ ଏହି ସରମା କୁତୀର ସନ୍ତାନ ।

ବ୍ରହ୍ମଣ ରଚନାରେ ମଧ୍ୟ ଅବଶ୍ୟ ସରମା ଗାଈମାନଙ୍କୁ ଖୋଜି ଆଣି ଦେଉଛି ଏବଂ ତାହାର କେତେକାଂଶରେ ପଜିଟିଭ୍ ଭାବମୂର୍ତ୍ତି ବଜାୟ ରହିଛି । ଇନ୍ଦ୍ର ସରମାକୁ ପ୍ରଶଂସା କରି କହୁଛନ୍ତି ଯେ ଆଜିଠାରୁ ତୋ ବଂଶଧରମାନେ ଖାଦ୍ୟାହାରି ହେବେ । ଆଗରୁ ବୋଧହୁଏ କୁକୁରମାନେ କେବଳ ବିଭିନ୍ନ କର୍ମକାଣ୍ଡର ନୈବେଦ୍ୟ ଚାଟୁଥିଲେ ।ଏଣିକି ସରମାର ବଂଶଧରମାନେ ବାଘ ଶିକାର ମଧ୍ୟ କରିପାରୁଛନ୍ତି । କିନ୍ତୁ ଏଣିକି ବ୍ରହ୍ମଣରେ ସରମାର ବଂଶଧର ପାଣିରେ ଭରା ବିଭିନ୍ନ ଅନ୍ତବୁଜୁଳା ବି ଖାଉଛି, ଯାହାକୁ ଏଥିରେ ଏକପ୍ରକାର ହତ୍ୟା ବୋଲି କୁହା ଯାଉଛି ।

ତେଣୁ ସମୟ ଅତିକ୍ରାନ୍ତ ହେବା ସହ ହିନ୍ଦୁଧର୍ମର ବିବର୍ତ୍ତନରେ କୁକୁରର ସାମାଜିକ ଓ ଧାର୍ମିକ ଗ୍ରହଣୀୟତା ସମ୍ବନ୍ଧରେ ଗୋଟିଏ ନିର୍ଦ୍ଦିଷ୍ଠ ଧାରଣା ସୄଷ୍ଠି ହୋଇ ପାରିଲା ନାହିଁ । ଇନ୍ଦ୍ରଙ୍କ ବର ଅନୁସାରେ କୁକୁର ଯଦି ବାଘ ମାରିପାରିଲା ତାହା ଭଲ କଥା ମାତ୍ର ଅନ୍ତବୁଜୁଳା ଖାଇବାକୁ ଆରମ୍ଭ କରି ଅଶୁଦ୍ଧ, ଅପବିତ୍ର ଓ ଅଶୁଭ ହେବା ଦ୍ବାରା ତାର ପ୍ରେଷ୍ଟିଜ୍ ଡାଉନ୍ ହେଲା ନାହିଁ କି ?

ବ୍ରହ୍ମଣ ଅନୁସାରେ ସରମା ଯଦିବା ଭଲ କୁତୀ ଥିଲା, ମାତ୍ର ତାର ବଂଶଧର କୁକୁର ଜାତି ଖରାପ ଥିଲେ । କାରଣ ସେମାନେ ଯଜ୍ଞରେ ଦେବତାଙ୍କ ପାଇଁ ପ୍ରସ୍ତୁତ ଅର୍ପିତ ପଦାର୍ଥକୁ ଚାଟିବାକୁ ଚେଷ୍ଟା କରୁଥିଲେ । ପରବର୍ତ୍ତୀ କାଳରେ ମନୁ ଲେଖିଛନ୍ତି ଯେ ରାଜା ଯଦି ସ୍ବଧର୍ମ ପାଳନ ନ କରେ ତେବେ କାଉମାନେ ଯଜ୍ଞ ପିଠା ଖାଇଦେବେ ଓ କୁକୁରମାନେ ଅନ୍ୟ ଅର୍ପିତ ପ୍ରସ୍ତୁତିକୁ ଚାଟିବେ ।

ୠଗବେଦ କାଳର କର୍ମକାଣ୍ଡ ଅତି ସରଳ ଓ ଛୋଟିଆ ଥିଲା । ବ୍ରହ୍ମଣ ରଚନା ସମୟରେ ରାଜାମାନଙ୍କର ଆବିର୍ଭାବ ସହିତ ଯଜ୍ଞ ଅନୁଷ୍ଠାନ ଅନେକ ଜଟିଳ ଓ ଖର୍ଚ୍ଚବହୁଳ ହୋଇ ଉଠିଲା । ଅଶ୍ବମେଧ ଯଜ୍ଞ କେମିତି କରାଯିବ ସେ ବିଷୟରେ ବ୍ରହ୍ମଣରେ ବିସ୍ତାର ଭାବରେ ବର୍ଣନା କରାଯାଇଛି । ଏଥି ସହିତ ଯୋଡା ଯାଇଥିବା ରାଜନୈତିକ ପ୍ରତୀକଗୁଡିକୁ ମଧ୍ୟ ଅଣଦେଖା କରିହେବ ନାହିଁ ।

ୠଗବେଦ ସମୟରେ ଘୋଡାମାନେ ଖୋଲାରେ ଚରିବୁଲୁଥିଲେ । ମାତ୍ର ବ୍ରହ୍ମଣରେ ବର୍ଣିତ ଅଶ୍ବମେଧ ଯଜ୍ଞରେ ମନ୍ତ୍ରଦ୍ବାରା ପବିତ୍ର କରାଯାଇଥିବା ଗୋଟିଏ ଧଳା ଘୋଡାକୁ ମାତ୍ର ଏକ ବର୍ଷ ପାଇଁ ଖୋଲାରେ ଛାଡି ଦିଆଗଲା । ପରବର୍ତ୍ତୀ ବୈଦିକ କାଳରେ ଯେତେବେଳେ ଲୋକମାନେ ସ୍ଥାୟୀ ବସତି କରିବାକୁ ଆରମ୍ଭ କଲେ ଓ ଘୋଡା ପାଇଁ ସ୍ବତନ୍ତ୍ରଭାବେ ଘାସ ଚାଷ କରାଗଲା ସେତେବେଳେ ଘୋଡାକୁ ଘୋଡାଶାଳରେ ବାନ୍ଧି ରଖାଗଲା । ମାତ୍ର ଅଶ୍ବମେଧ ଯଜ୍ଞ ସମୟରେ ପୁରୁଣା ସମୟ ଓ ପରମ୍ପରାକୁ ମନେ ପକାଇ ଘୋଡାକୁ ପ୍ରତୀକାତ୍ମକ ଭାବେ ଏକ ବର୍ଷ ପାଇଁ ଖୋଲା ଛାଡି ଦିଆଗଲା ।

ରାଜାଙ୍କର ସୈନ୍ୟମାନେ ଘୋଡାକୁ ଜଗି ରହୁଥିଲେ । ଯେଉଁ ଯେଉଁ ରାଜ୍ୟରେ ଘୋଡା ଚରିବ ସେ ରାଜ୍ୟ ଘୋଡାର ମାଲିକ ରାଜାଙ୍କର ହୋଇଯିବ ।

ସୈନ୍ୟମାନେ ଘୋଡା ପଛରେ ରହି ତାକୁ ଜାଣିଶୁଣି ବିଭିନ୍ନ ପଡୋଶୀ ରାଜ୍ୟ ଭିତରକୁ ଠେଲୁଥିଲେ ।

ତେଣୁ ଆଗେ ଯେଉଁଠି କର୍ମକାଣ୍ଡରେ ଘୋଡା ସାମୟିକ ଓ ଅବିଚାରିତ ଭାବେ ରାଜାଙ୍କ ନିଜ ଘାଷ ପଡିଆରେ ବୁଲୁଥିଲା, ତାହା ଏବେ ସାମ୍ରାଜ୍ୟବିସ୍ତାର କାର୍ଯ୍ୟକ୍ରମର ଏକ ଅଂଶ ବିଶେଷ ହୋଇଗଲା । ଏହିପରି ଏକ ପାପନାଶନକାରୀ ସାଧାରଣ କର୍ମକାଣ୍ଡ ପରେ ରାଜନୈତିକ ଲୋଭର କାର୍ଯ୍ୟକ୍ରମରେ ପରିଣତ ହୋଇଗଲା । ସେଥିପାଇଁ ବିଭିନ୍ନ ସଂସ୍କୁତ ରଚନାରେ ଉଲ୍ଲେଖ ଅଛି ଯେ ଅଶ୍ବମେଧ ଯଜ୍ଞ କରିବାକୁ ହେଲେ ରାଜାକୁ ପ୍ରଥମେ ସାମରିକ ଭାବେ ବହୁତ ଶକ୍ତିଶାଳୀ ହେବାକୁ ପଡିବ । ସେଥିପାଇଁ ହିନ୍ଦୁଙ୍କ ଇତିହାସରେ ଖୁବ୍ ବେଶି ଅଶ୍ବମେଧ ଯଜ୍ଞ ହୋଇନାହିଁ ।

ଚାଲନ୍ତୁ ଏଥର ହିନ୍ଦୁଙ୍କୁ ଖୋଜିବା । କେଉଁ ସମୟର ଓ କେଉଁ ପ୍ରାନ୍ତର ହିନ୍ଦୁଙ୍କୁ ଆମେ ଆଦର୍ଶ ମାନି ଏବେ ଆମେ ହିନ୍ଦୁରାଷ୍ଟ୍ର ଗଠନ କରିବା ଚାଲନ୍ତୁ ଆଗ ସ୍ଥିର କରିବା ? କାରଣ ବିଭିନ୍ନ ସମୟକୁ ତାଳ ଦେଇ ଏବଂ ବିଭିନ୍ନ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ପରିସ୍ଥିତିକୁ ମୁକାବିଲା କରି ହିନ୍ଦୁମାନେ ନୂଆ ନୂଆ ବ୍ୟାଖ୍ୟା ଓ ନୂଆ ନୂଆ ନିୟମ ଯୋଡି ଆସିଛନ୍ତି । ତେଣୁ ବର୍ତ୍ତମାନ ହିନ୍ଦୁଙ୍କୁ ଖୋଜିବାକୁ ହେଲେ ଏବେ ଆମେ ୠଗବେଦ, ବ୍ରହ୍ମଣ, ଉପନିଷଦ, ଶିବାଜୀ କିମ୍ବା ରାଣା ପ୍ରତାପଙ୍କ ସମୟର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସ୍ଥିତିକୁ ବିଚାରାର୍ଥ ବିନ୍ଦୁ ଭାବେ କାହିଁକି ଗ୍ରହଣ କରିବା ?